ବେନିୟମ ଚାଲାଣ ହେଉଛି କେନ୍ଦୁପତ୍ର: ବିନା ନଥିପତ୍ରରେ ଚାଲିଛି କାରବାର

ମାଲକାନଗିରି,୪ା୫(ଡି.ଏନ୍‌.ଏ.) : ମାଲକାନଗିରି ଜିଲାରେ ବର୍ଷକୁ କୋଟି କୋଟି ଟଙ୍କାର କେନ୍ଦୁପତ୍ର କାରବାର ହୋଇଥାଏ। ଜିଲାର ଆଦିବାସୀ ଏବଂ ଅଣ ଆଦିବାସୀ କେନ୍ଦୁପତ୍ର ସଂଗ୍ରହକରି ଗୁଜୁରଣ ମେଣ୍ଟାଇଥାନ୍ତି। ଚଳିତବର୍ଷ କରୋନା ଯୋଗୁ କେନ୍ଦୁପତ୍ର ସଂଗ୍ରହ ଓ ବ୍ୟବସାୟ ଉପରେ ଆଶଙ୍କା ଥିଲା। ସରକାର କେନ୍ଦୁପତ୍ର ସଂଗ୍ରହ ପାଇଁ ନିୟମରେ କୋହଳ କଲା ପରେ ବନ ବିଭାଗ ପତ୍ରତୋଳା ଆରମ୍ଭ କରିଥିଲା। ମାତ୍ର ରାଜ୍ୟ ବାହାରର କେତେଜଣ ବ୍ୟବସାୟୀ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହ ମିଶି କେନ୍ଦୁପତ୍ର ସଂଗ୍ରହ କରି ବସ୍ତାରେ ଲୋଡ୍‌ କରି ବିଭିନ୍ନ ସ୍ଥାନରେ ଲୁଚାଇ ରଖୁଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ ବନ ବିଭାଗ ହେଉ କିମ୍ବା ସ୍ବୀକୃତିପ୍ରାପ୍ତ ବେସରକାରୀ ସଂସ୍ଥା ପତ୍ର ଖର୍ଦ୍ଦି କଲେ ସେହି ଫଡ଼ିରୁ ପରିବହନ ସମୟରେ ଚାଲାଣ ରସିଦ୍‌ କାଟିବେ। ଗାଡ଼ିରେ କେତେ ବସ୍ତା କେଉଁ ଫଡ଼ିରୁ ଲୋଡ୍‌ କରାଗଲା, କେଉଁ ଗୋଦାମକୁ ଯିବ ଗାଡ଼ି ନମ୍ବର, ଡ୍ରାଇଭରଙ୍କ ନାମ ଆଦି ଉଲ୍ଲେଖ କରାଯିବା କଥା। ମାତ୍ର ଏହା ହେଉନାହିଁ। ସୋମବାର କେତେକ ଗାଡି ପତ୍ର ଲୋଡ୍‌କରି ଯାଉଥିବା ବେଳେ ସେମାନଙ୍କୁ ଯାଞ୍ଚ ସମୟରେ ଅବ୍ୟବସ୍ଥା ଧରାପଡ଼ିଥିଲା। ଗୋଟିଏ ଗାଡ଼ିିରେ ଏକ ବେସରକାରୀ ସଂସ୍ଥାର କେନ୍ଦୁପତ୍ର ବ୍ୟାଗ୍‌ ପରିବହନ ରସିଦ୍‌ ଥିବା ବେଳେ ଅନ୍ୟ ଏକ ୪୦୭ ଗାଡ଼ିରେ ହାତଲେଖା ଚିରକୁଟ ଡ୍ରାଇଭର ଦେଖାଇଥିଲେ। ଏହା ସମ୍ପୂର୍ଣ୍ଣ ବେନିୟମ। ଡ୍ରାଇଭରଙ୍କୁ ଏନେଇ ପଚାରିବାରୁ ସେ ଠିକ୍‌ ଉତ୍ତର ଦେଇପାରି ନ ଥିଲେ। ଫଳରେ ଏହା ଚୋରା କାରବାର ବୋଲି ସନ୍ଦେହ ଉପୁଜିଛି। ଜିଲାରେ ଏପରି ବହୁସଂଖ୍ୟକ ଟ୍ରାକ୍ଟର , ୪୦୭ ଓ ଟ୍ରକ୍‌ରେ ବିନା ଫଡ଼ି ଚାଲାଣରେ କେନ୍ଦୁପତ୍ର ଚାଲାଣ ହେଉଛି। ବନ ବିଭାଗ, ଜିଲା ପ୍ରଶାସନ ଓ ପୋଲିସ ବିଭାଗ ଆଖିବୁଜି ଦେଇଛି। ତୁରନ୍ତ ଦୁର୍ନୀତି ନିବାରଣ ବିଭାଗ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

Share