ନୟାଗଡ଼ ଅଫିସ,୨୬ା୮: ନୟାଗଡ଼ ସହରର ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଗୃହଗୁଡିକ ବେନିୟମ ଭାବେ ବଣ୍ଟନ କରାଯାଇଛି। ସହରରେ ବସବାସ କରୁଥିବା ଯୁବକମାନେ ଯେପରି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ଭିନ୍ନ ଭିନ୍ନ ଯୋଜନାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଏହା ଦ୍ୱାରା ସମ୍ପୃକ୍ତ ଯୁବକମାନେ ବ୍ୟବସାୟ କରି ଆର୍ଥିକ ସ୍ବାବଲମ୍ବୀ ହେବେ ବୋଲି ଲକ୍ଷ୍ୟ ରହିଥିଲା। କିନ୍ତୁ ବେନିୟମ ଭାବେ ଆବଣ୍ଟନ ହୋଇଥିବାରୁ ଏଥିରେ ବିଚ୍ୟୁତି ଘଟିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଏନ୍ଏସି ବର୍ତ୍ତମାନ ପୌର ପରିଷଦ ପକ୍ଷରୁ ମନଇଚ୍ଛା ପ୍ରଭାବଶାଳୀ ଲୋକମାନଙ୍କୁ ଏହି ଘରଗୁଡ଼ିକ ବଣ୍ଟନ କରାଯାଇଛି। ଏପରି କି ଜଣେ ଜଣେ ୧୦ରୁ ଅଧିକ ଦୋକାନ ଗୃହ ହାତେଇଛନ୍ତି। ଏମାନେ ଉକ୍ତ ଗୃହଗୁଡ଼ିକୁ ଭଡ଼ା ଆକାରରେ ଲଗାଇଛନ୍ତି। ପୌର ପରିଷଦ ଏମାନଙ୍କଠାରୁ ଅଳ୍ପକିଛି ଟଙ୍କା ଭଡା ଆକାରରେ ନେଉଥିବା ବେଳେ ଏମାନେ କିନ୍ତୁ ଲୋକମାନଙ୍କଠାରୁ ୨ଗୁଣା ଅଧିକା ଭଡ଼ା ଆଦାୟ କରୁଛନ୍ତି।
ପ୍ରକାଶ ଯେ, ନୟାଗଡ଼ ସହରର ୧୦ଟି ମାର୍କେଟରେ ୩୫୭ଟି ଗୃହ ରହିଛି। ଜୁବୁଲି ମାର୍କେଟରେ ୯୧ ଗୃହ ଥିବାବେଳେ ଭଡ଼ା ବାବଦକୁ ପ୍ରତିମାସରେ ୭୦ ହଜାର ୪୮୭ ଟଙ୍କା ଆଦାୟ ହେଉଛି। ବିଜୁ ମାର୍କେଟରେ ୧୦୩ ଗୃହ ଥିବାବେଳେ ଭଡ଼ା ବାବଦକୁ ୧୫,୬୭୦, ଇନ୍ଦିରା ପ୍ରିୟଦର୍ଶିନୀ ମାକେର୍ଟରେ ୩୫ ଗୃହରୁ ୨୩୬୧୦, କୃଷ୍ଣଚନ୍ଦ୍ର ପରିବା ମାର୍କେଟରେ ୨୧ ଗୃହରୁ ୧୬୯୧୦, କୃଷ୍ଣଚନ୍ଦ୍ର ଗୋ ଡାଉନ ବ୍ଲକ ୨ରେ ୭ ଗୃହରୁ ୫୦୯୬, ପୁରୁଣା ବସ୍ଷ୍ଟାଣ୍ଡଠାରେ ୧ଟି ଗୃହରୁ ୫୦୦, ଫଳ ଦୋକାନ ଲାଗି ଥିବା ୧୨ ଗୃହରୁ ୫୮୫୦, ବାଳଭବନରେ ୧ଟି ଗୃହରୁ ୨୩୦ ଓ ରାଜୀବ ମାର୍କେଟରେ ୮୬ ଗୃହରୁ ୪୧,୩୭୦ ଟଙ୍କା ଭଡ଼ା ବାବଦକୁ ଆଦାୟ କରାଯାଉଛି। ନୟାଗଡ଼ ପୌର ପରିଷଦ ୧୦ଟି ମାର୍କେଟରେ ଥିବା ୩୫୭ ରୁମ୍ରୁ ପ୍ରତିମାସରେ ଭଡ଼ା ବାବଦକୁ ୧ ଲକ୍ଷ ୭୯ ହଜାର ୭୨୩ ଟଙ୍କା ଆଦାୟ କରୁଛି। ହେଲେ ପ୍ରଭାବଶାଳୀ ଲୋକମାନେ ଏହାକୁ ପୁନର୍ବାର ଭଡ଼ାଦେଇ ଏହାଠାରୁ ଢେରଗୁଣା ଅଧିକ ଭଡାଟଙ୍କା ଆଦାୟ କରୁଛନ୍ତି। ଅନ୍ୟପଟେ ୩୫୭ ଗୃହରୁ କିଛି ହାତଗଣତି ଗୃହରେ ଦୋକାନ ଚାଲିଥିବା ବେଳେ ଅଧିକାଂଶ ଗୃହ ଗୋଦାମ ପାଲଟିଛି। କିଏ ଉକ୍ତ ଗୃହରେ କଦଳୀ ରଖୁଛି ତ ଆଉ କିଏ ଅନ୍ୟାନ୍ୟ ସାମଗ୍ରୀ ରଖିଥିବା ଦେଖିବାକୁ ମିଳୁଛି। ଏହିଭଳି ବେନିୟମ ଭାବେ ମାର୍କେଟଗୁଡ଼ିକ ଚାଲୁଥିଲେ ମଧ୍ୟ ପ୍ରଶାସନର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ପ୍ରଶାସନ ସବୁ ଜାଣି ନୀରବ ରହୁଥିବା ଅଭିଯୋଗ ହେଉଛି। ଏ ନେଇ ନୟାଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ ଏ ନେଇ କୌଣସି ମତ ଦେବାକୁ ମନା କରିଦେଇଥିଲେ। ଏଭଳି ଅନିୟମିତତାର ତଦନ୍ତ କରାଗଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।