ବେପରୁଆ ତଦନ୍ତ: କୋର୍ଟରେ କ୍ଷମା ମାଗିଲା ପୋଲିସ, ହତ୍ୟା ମାମଲାରେ ନାବାଳକଙ୍କୁ ସାବାଳକ ଦର୍ଶାଇଥିଲା

ଭୁବନେଶ୍ୱର,୬।୧୦(ବ୍ୟୁରୋ): ପୋଲିସ ଠିକ୍‌ ଭାବେ ତଦନ୍ତ କରୁନି। ଫଳରେ ଦୋଷୀ ଖସି ଯାଉଥିବାବେଳେ ନିର୍ଦ୍ଦୋଷ ଜେଲ୍‌ ଯାଉଛି। ବିନା ତଦନ୍ତରେ ମଧ୍ୟ ମନଇଚ୍ଛା ଦଫା ଲଗାଉଥିବାରୁ ନ୍ୟାୟିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଛି। ପୋଲିସର ଏଭଳି ବାରମ୍ବାର ଭୁଲ୍‌ ପଦାକୁ ଆସୁଛି। ରଙ୍ଗମାଟିଆ ଦୀପକ ବେହେରା ହତ୍ୟା ମାମଲାର ତଦନ୍ତକୁ ନେଇ ପ୍ରଶ୍ନ ଉଠିଛି। ଜଣେ ନାବାଳକଙ୍କୁ ସାବାଳକ ଦର୍ଶାଇ କୋର୍ଟରେ ହାଜର କରିଥିଲା। ଫଳରେ ସମ୍ପୃକ୍ତ ନାବାଳକଙ୍କୁ ଝାରପଡା ଜେଲ ଯିବାକୁ ପଡିଛି। ମଞ୍ଚେଶ୍ୱର ଥାନା ପୋଲିସର ଏଭଳି ବେପରୁଆ ତଦନ୍ତ ଧରାପଡ଼ିଛି। ଶେଷରେ ପୋଲିସ କୋର୍ଟରେ କ୍ଷମା ମାଗିବା ପରେ ଉକ୍ତ ନାବାଳକଙ୍କୁ ଜେଲ୍‌ରୁ ମୁକୁଳା ଯାଇ ବ୍ରହ୍ମପୁରସ୍ଥିତ ସୁଧାରଗୃହରେ ଛଡ଼ାଯାଇଛି।

ସୂଚନା ଅନୁଯାୟୀ, ଗତମାସ ୧୦ ତାରିଖରେ ଦୀପକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୋଲିସ ୭ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିଲେ। ହେଲେ ତାଙ୍କର ବୟସ ପ୍ରମାଣପତ୍ର ନ ଦେଖି ସାବାଳକ ଦର୍ଶାଇ ପୋଲିସ ରିପୋର୍ଟ ଦାଖଲ କରିଥିଲା। ଫଳରେ ତାଙ୍କୁ ସୁଧାରଗୃହ ବଦଳରେ ଜେଲ୍‌ ହାଜତକୁ ପଠାଯାଇଥିଲା। ସେ ଜେଲରେ ୧୨ ଦିନ ରହିଥିଲେ। ଖୋଳତାଡ଼ କରାଯିବା ପରେ ତାଙ୍କ ବୟସ ୧୭ ବର୍ଷ ୪ମାସ ହୋଇଥିବା ଜଣାପଡିଥିଲା। ଏହାପରେ ପୋଲିସ କୋର୍ଟରେ ଜଜ୍‌ଙ୍କ ନିକଟରେ ଏହାକୁ ସ୍ବୀକାର କରିବା ସହ ନାବାଳକଙ୍କୁ ସୁଧାରଗୃହକୁ ପଠାଇବାକୁ ଅନୁମତି ମାଗିଥିଲା।

ତଦନ୍ତ ସମୟରେ ଯଦି ବୟସ ଜାଣିବାକୁ କିଛି ବି ପ୍ରମାଣପତ୍ର ମିଳେ ନାହିଁ, ସେତେବେଳେ ଅଭିଯୁକ୍ତଙ୍କ କ୍ଷେତ୍ରରେ ଏକ ଡାକ୍ତରୀ ପରୀକ୍ଷା କରାଯାଇଥାଏ। ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ତାହା ନ କରି କାହିଁକି ବେପରୁଆଭାବେ ତଦନ୍ତ କରି ଏପରି ବାରମ୍ବାର ଭୁଲ୍‌ କରୁଛି। ପୂର୍ବରୁ ମଧ୍ୟ କ୍ୟାପିଟାଲ ଥାନା ପୋଲିସ ଏଭଳି ଭୁଲ୍‌ କରିଥିଲା। ଜଣେ ସ୍କୁଲ ଛାତ୍ରଙ୍କୁ ମିଛ ମାମଲାରେ ଫସାଇ ସାବାଳକ ଦର୍ଶାଇବାରୁ ତାଙ୍କୁ ଝାରପଡା ଜେଲକୁ ଯିବାକୁ ପଡ଼ିଥିଲା। ବଡ଼ଗଡ଼ ଥାନା ପୋଲିସ ମଧ୍ୟ ସମାନ ଭାବେ ଜଣେ ନାବାଳକଙ୍କୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା।

Share