ବେଲପାହାଡ଼ ଏକ୍ସସିସ୍‌ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ଘଟଣା: ୧୦ ଦିନ ପରେ ଘଟଣାର ପର୍ଦ୍ଦାଫାସ, ବିହାରରୁ ଜଣେ ଗିରଫ, ବନ୍ଧୁକ ଜବତ

ଝାରସୁଗୁଡା ଅଫିସ/ଲଖନପୁର, ୧୪।୧୯(ଡି .ଏନ୍‌ .ଏ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଏକ୍ସସିସ ବ୍ୟାଙ୍କରୁ ଗତ ୪ ତାରିଖରେ ସଶସ୍ତ୍ର ଡକାୟତି ହୋଇଥିଲା। ଡକାୟତମାନେ ବନ୍ଧୁକ ଦେଖାଇ ୧୧ ଲକ୍ଷ ଟଙ୍କା ଲୁଟି ନେଇଯାଇଥିଲେ। ଏହି ଘଟଣାରେ ପୋଲିସ ବେଲପାହାଡ଼ ଥାନାରେ କେସ୍‌ ନଂ.୧୪୫/୧୯ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା। ସିସିଟିଭି କ୍ୟାମେରା ଫୁଟେଜକୁ ଆଧାରକରି ପୋଲିସ ବିହାର ମୁଜାଫର୍‌ପୁରରେ ପହଞ୍ଚି ଘଟଣାରେ ସମ୍ପୁକ୍ତ ଅଭିଯୁକ୍ତ ନିରଜ ଠାକୁର(୩୮)ଙ୍କୁ ଗତ ଗୁରୁବାର ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କଲାପରେ ସେଠାରୁ ଝାରସୁଗୁଡା ନେଇଆସିଛି । ତାଙ୍କ ନିକଟରୁ ଏକ ବନ୍ଧୁକ ସହ ଗୁଳି ଜବତ କରାଯାଇଛି। ନିରଜଙ୍କୁ ଜେରା କଲାପରେ ଘଟଣାର ମାଷ୍ଟରମାଇଣ୍ଡ ସମେତ ଅନ୍ୟ ୫ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ସମସ୍ତ ତଥ୍ୟ ପାଇପାରିଛି । ଖୁବ୍‌ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସ୍‌ପି ଅଶି୍ବନୀ ମହାନ୍ତି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ।