ବେଳାଭୂମି ସଫେଇ ସହ ସ୍ବଚ୍ଛତା ବାର୍ତ୍ତା ଦେଲେ ଆଇନଜୀବୀ

ପୁରୀ ଅଫିସ,୧୦ା୮: ପୁରୀ ଜିଲା ପ୍ରଶାସନ ପକ୍ଷରୁ ବେଳାଭୂମି ସ୍ବଚ୍ଛତା ପାଇଁ ଚାଲିଛି ‘ମୋ ବିଚ୍‌’ ଅଭିଯାନ। ଏଥିପ୍ରତି ଜନସାଧାରଣଙ୍କ ସମର୍ଥନ ବଢିବାରେ ଲାଗିଛି। ଶନିବାର ଏହି ଅଭିଯାନରେ ସାମିଲ ହୋଇଛନ୍ତି ପୁରୀ ବାର୍‌ ଆସୋସିଏଶନର ଶତାଧିକ ଆଇନଜୀବୀ। ଏମାନେ ବିଭିନ୍ନ ଗ୍ରୁପ୍‌ରେ ଭାଗ ହୋଇ ଲାଇଟହାଉସ ଠାରୁ ସ୍ବର୍ଗଦ୍ୱାର ପର୍ଯ୍ୟନ୍ତ ବେଳାଭୂମି ସଫେଇ କରିଥିଲେ। ଡଷ୍ଟବିନ୍‌ ବ୍ୟବହାର ଲାଗି ପର୍ଯ୍ୟଟକ ଓ ସ୍ଥାନୀୟ ଉଠାଦୋକାନୀଙ୍କୁ ସଚେତନ କରିବା ସହ ବେଳାଭୂମି ସ୍ବଚ୍ଛତାର ବାର୍ତ୍ତା ଦେଇଥିଲେ। ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ଦୁଇଘଣ୍ଟା ଧରି ଏହି ସଫେଇ ଅଭିଯାନ ଚାଲିଥିଲା। ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଡା. ଉମାଶଙ୍କର ଦାଶ ପ୍ରମୁଖ ଲାଇଟ ହାଉସ ନିକଟରେ ଆଇନଜୀବୀମାନଙ୍କୁ ସ୍ବାଗତ କରିଥିଲେ। ବାର୍‌ ସଭାପତି ପ୍ରଶାନ୍ତ କୁମାର ମିଶ୍ର, ଉପସଭାପତି ଦେବେନ୍ଦ୍ର ନାଥ ମିଶ୍ର, ସମ୍ପାଦକ ବିଭୂତି ଶଙ୍କର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସଂଗ୍ରାମ ଦାଶ, କାର୍ଯ୍ୟକାରୀ ସଦସ୍ୟ ଅଶୋକ ପାଣିଗ୍ରାହୀ, ଅରୂପ ପୃଷ୍ଟି, ଅସୀମ ବାନାର୍ଜୀ, ଚିତ୍ତ ବିଶ୍ୱାଳ, ରତିକାନ୍ତ ପ୍ରତିହାରୀ, ଆଇନଜୀବୀ ବନଲତା ମହାନ୍ତି, ରବି ରାଉତରାୟ, ମନୋଜ ଦାଶ, ବିମଳେନ୍ଦୁ ଦାଶ, ସୁବାସ ପଣ୍ଡା ପ୍ରମୁଖ ଏହି ଅଭିଯାନରେ ସାମିଲ ଥିଲେ।