ବେଶି ସମୟ ସୂର୍ଯ୍ୟନମସ୍କାର କରେ

ନିଜକୁ ଫିଟ୍‌ ରଖିବାକୁ ହେଲେ ଡାଏଟ୍‌ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼େ। ଫିଟ୍‌ ରହିବା ପାଇଁ ଶାରୀରିକ ପରିଶ୍ରମର ୪୦% ପ୍ରଭାବ ଥିବା ବେଳେ ୬୦% ପ୍ରଭାବ ପକାଏ ଖାଦ୍ୟ। ଉଭୟ ଦିଗକୁ ମୁଁ ସନ୍ତୁଳିତ ରଖିବା ପାଇଁ ଚେଷ୍ଟା କରେ। ପ୍ରତ୍ୟେକ ଦିନ ସକାଳେ ସୂର୍ଯ୍ୟ ନମସ୍କାର କରିବାକୁ ଭୁଲେନି। ଏହା ମୋ ଫିଟ୍‌ନେସ୍‌ର ମୁଖ୍ୟ କାରଣ ବୋଲି କହନ୍ତି ଅଭିନେତ୍ରୀ ସନମୀରା ନାଗେଶ।

ବ୍ରେକଫାଷ୍ଟ ବାଧ୍ୟତାମୂଳକ
ସୁନ୍ଦର ସ୍ବାସ୍ଥ୍ୟ ପାଇଁ ପ୍ରାତଃ ଭୋଜନ ବା ବ୍ରେକଫାଷ୍ଟ ବାଧ୍ୟତାମୂଳକ। ବ୍ରେକଫାଷ୍ଟ ଖାଇବାକୁ କେବେ ଭୁଲେନି। ସକାଳେ ରୁଟି, ଭଜା ପ୍ରାୟ ସମୟ ଖାଇଥାଏ। ମର୍ନିଂ ୱାକ୍‌ ସାରିବା ପରେ ଯୋଗ କରେ। ସୂର୍ଯ୍ୟ ନମସ୍କାର ଅଧିକ ସମୟ କରିଥାଏ। ପରେ ପ୍ରଚୁର ମାତ୍ରାରେ ପାଣି ମଧ୍ୟ ପିଏ। ପାଣି ପିଇବା ଦ୍ୱାରା ବିଭିନ୍ନ ରୋଗରୁ ଉପଶମ ମିଳିବା ସହ ତ୍ୱଚା ମଧ୍ୟ ସୁସ୍ଥ ରହେ। ଏଣୁ ସକାଳ ସମୟରେ ମୋର ସମସ୍ତ କାର୍ଯ୍ୟ କିପରି ଭଲ ରହିବ ସେଥିପାଇଁ ଚେଷ୍ଟା କରେ।
ସୂର୍ଯ୍ୟାଲୋକର ଫାଇଦା ନିଅନ୍ତୁ
ସକାଳର ସୂର୍ଯ୍ୟାଲୋକରେ ଭରପୂର ଭିଟାମିନ୍‌ ଡି ରହିଛି। ଯାହା ଶରୀର ପାଇଁ ନିହାତି ଆବଶ୍ୟକ। ଏଣୁ ଭୋରରୁ ଉଠି ଖୋଲା ଆକାଶ ତଳେ ପ୍ରାତଃଭ୍ରମଣ କିମ୍ବା ଯୋଗ କଲେ ଏହି ଭିଟାମିନ ସହଜରେ ମିଳିଯାଏ। ପ୍ରାତଃସ୍ନାନ ମଧ୍ୟ ଶରୀର ପାଇଁ ବେଶ୍‌ ଫଳପ୍ରଦ।
ଜଙ୍କ୍‌ଫୁଡ୍‌ ଛୁଏଁନି
ମୁଁ ଆଦୌ ଜଙ୍କଫୁଡ୍‌ ଖାଇବାକୁ ପସନ୍ଦ କରେନି। ଯେତେ ଯୋଗ କଲେ ବି ଜଙ୍କଫୁଡ୍‌ ଖାଇବା ଦ୍ୱାରା ସମସ୍ତ ପରିଶ୍ରମ ପାଣିରେ ପଡ଼ିଯାଏ। ମୋର ଖାଇବାରେ ଦହି ସାମିଲ ହୋଇଥାଏ। ଘରେ ତିଆରି ହୋଇଥିବା ଆମିଷ ତରକାରି ମଧ୍ୟ ଖାଇବାକୁ ଭଲପାଏ। ଶୁଟିଂ ସମୟରେ ଡାଏଟ୍‌ ଏପଟସେପଟ ହୋଇଥାଏ। ସେଠାରେ କିଛି ଖାଦ୍ୟ ନିୟନ୍ତ୍ରଣ ଭିତରେ ରଖି ଖାଇବାକୁ ପଡ଼େ।