ବେସରକାରୀ ଡାକ୍ତରଖାନା କର୍ମଚାରୀ ପାଇବେ ବୀମା ସୁବିଧା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କରୋନା ରୋକିବା ପାଇଁ ଆଗଧାଡିରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟ, କର୍ମୀ ଓ ପାରାମେଡିକାଲ କର୍ମଚାରୀଙ୍କ ସକାଶେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଛନ୍ତି। କର୍ତ୍ତବ୍ୟ ସମ୍ପାଦନ ବେଳେ ଯଦି କାହାର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ସହିତ ସରକାରୀ କର୍ମଚାରୀଙ୍କୁ ଅବସର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦରମା ଓ ପେନ୍‌ସନ୍‌ ଦେବାକୁ ଘୋଷଣା କରିଛନ୍ତି। ଏ ନେଇ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ୯୦ ଦିନ ଲାଗି କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ କାର୍ଯ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ବୀମା ରାଶି ଦେବାକୁ ଘୋଷଣା କରିଛନ୍ତିି। କେନ୍ଦ୍ର ସହିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସରକାରୀ ହସ୍ପିଟାଲ ସହିତ ବେସରକାରୀ ହସ୍ପିଟାଲ କର୍ମଚାରୀ, ସ୍ବେଚ୍ଛାସେବୀ, ପୌରପାଳିକାରେ କାର୍ଯ୍ୟରତ ଠିକା ସଫେଇ କର୍ମଚାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ ଅଧୀନରେ ଘୋଷଣା କରାଯାଇଥିବା ସ୍ବାସ୍ଥ୍ୟ ବୀମା ମିଳିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତିି। ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ସରକାରୀ, ବେସରକାରୀ,ସ୍ବେଚ୍ଛାସେବୀ, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥାଗୁଡିକୁ ସାମିଲ କରିଛନ୍ତିି। ଯେଉଁମାନେ କୋଭିଡ୍‌-୧୯ ମୁକାବିଲା ପାଇଁ ସମ୍ମୁଖ ଭାଗରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଏହି ସୁବିଧା ମିଳିବ। ଏହାଛଡା ଯେଉଁ କର୍ମଚାରୀ କେନ୍ଦ୍ର ସରକାରଙ୍କ ବୀମା ଯୋଜନା ପରିସରରେ ଆସୁନାହାନ୍ତିି ସେମାନଙ୍କୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଯୋଜନାରେ ସାମିଲ କରାଯିବ ବୋଲି ବୁଧବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

Share