ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନର ବାର୍ଷିକ ଉତ୍ସବ: ସ୍ବେଚ୍ଛାସେବୀଙ୍କ ସେବା ପ୍ରଶଂସନୀୟ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ବେସାମରିକ ପ୍ରତିରକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱରର ୫୬ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଓଡ଼ିଶା ଅଗ୍ନି ଓ ବିପର୍ଯ୍ୟୟ ଏକାଡେମୀ ପରିସରରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଗ୍ନିଶମ ଡିଜି ସୁନିଲ ରୟ ବିପର୍ଯ୍ୟୟ ସମୟରେ ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀଙ୍କ ଉଦ୍ଧାର ଓ ସେବାକାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ପୋଲିସ, ଗୃହରକ୍ଷୀ ଓ ଅଗ୍ନିଶମ ବାହିନୀ ସହ ମିଶି ବେସାମରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀମାନେ ନିଷ୍ଠା ଓ ସାହାସର ସହ କାର୍ଯ୍ୟ କରୁଛନ୍ତି। ଏହା ଦେଶର ଯୁବପିଢ଼ିଙ୍କୁ ଉତ୍ସାହିତ କରୁଥିବା ସେ କହିଛନ୍ତି।
ଉତ୍ସବରେ ଅଗ୍ନିଶମ ସେବା, ହୋମ୍‌ଗାର୍ଡ ଓ ସିଭିଲ୍‌ ଡିଫେନ୍ସର ଆଇଜି ଅସିତ କୁମାର ପାଣିଗ୍ରାହୀ, ଖୋର୍ଦ୍ଧା ଜିଲାପାଳ ସୀତାଂଶୁ ଶେଖର ରାଉତ, ଅତିରିକ୍ତ ଜିଲାପାଳ ଅରୁଣ କୁମାର ବେହେରା, ସତ୍ୟବ୍ରତ ପାଢ଼ି ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ ପରେଡ଼ରେ ୨୫୦ଜଣ ସ୍ବେଚ୍ଛାସେବୀ ସାମିଲ୍‌ ହୋଇଥିଲେ। ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାରେ ଯଦୁପୁର ମମତାଜ ଅଲ୍ଲୀ ହାଇସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଦୁଇଜଣ ଇନ୍ସପେକ୍ଟରଙ୍କୁ ମଧ୍ୟ ଡିଜି ରାୟ ପୁରସ୍କୃତ କରିଥିଲେ। ଏହି ଅବସରରେ ଛାତ୍ରୀମାନେ ଦୁଃସାହସିକ କାର୍ଯ୍ୟ ଓ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ।

Share