ନୂଆଦିଲ୍ଲୀ,୨୨।୪: କରୋନା ବିରୋଧରେ ଭାରତରେ ଲଢ଼େଇ ଜାରି ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଜଣେ କର୍ମଚାରୀଙ୍କ ନମୁନା ପରୀକ୍ଷାରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସେ ଏପ୍ରିଲ୍ ୧୫ରେ ଅଫିସ ଆସିଥିଲେ। ଏପ୍ରିଲ୍ ୨୧ରେ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ଟୁଇଟ୍ କରି ଜଣାଇଛନ୍ତି। ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବା ସହିତ ସମ୍ପୃକ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ସେ କେଉଁ ମାନଙ୍କ ସହିତ ମିଳାମିଶା କରିଥିଲେ ତାହାର ତଦନ୍ତ ଜାରି ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ସଂକ୍ରମିତଙ୍କ ସହିତ ମିଶିଥିବା କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍ କରାଯିବ ବୋଲି ସେ କହିଛନ୍ତି।