ବେହିସାବୀଙ୍କୁ ପଦେ

ଯୁଗଳବାବୁ କହିଲେ, ଯାହା କୁହନ୍ତୁ ଦରଦାମ ଯାହା ହେଲାଣି ଘର ଚଳେଇବା ବଡ଼ ମୁସ୍କିଲ। ବିକାଶବାବୁ ଚୁପ୍‌ ହୋଇ ଶୁଣୁଥାନ୍ତି। ଯୁଗଳବାବୁ ପୁଣି କହିଲେ, ସେ ଖବର କାଗଜବାଲାକୁ ବନ୍ଦ କରିଦେଲେ। ଏତେ ଖର୍ଚ୍ଚ ଭିତରେ ଆଉ ଖବରକାଗଜ ରଖିବା ସମ୍ଭବ ନୁହେଁ। ବିକାଶବାବୁ କହିଲେ ଖବରକାଗଜ ବାବଦରେ କେତେ ଖର୍ଚ୍ଚ ପଡେ ଯେ। ଆପଣଙ୍କ ପିଲାମାନେ କଲେଜରେ ପଢୁଛନ୍ତି। ଚାକିରିବାକିରି ବିଜ୍ଞାପନ, ପରୀକ୍ଷା ସୂଚନା କିମ୍ବା ରେଜଲ୍ଟ ସବୁକିଛି ତ ଖବରକାଗଜରୁ ଜାଣି ହୁଏ। ଯୁଗଳବାବୁ କହିଲେ, ସବୁ ତ ଏବେ ମୋବାଇଲରୁ ଜାଣି ହେଉଚି ଆଉ କିଏ କ’ଣ ଖବରକାଗଜ ପଢୁଛନ୍ତି। ବିକାଶବାବୁ କହିଲେ, ଖବରକାଗଜ ସ୍ଥାନ କାହିଁ କେତେ ଉଚ୍ଚରେ। ଖଣ୍ଡିଏ କାଗଜ ପୂରା ପରିବାରର ଆବଶ୍ୟକତା ପୂରଣ କରେ। କଥା ମଝିରେ ଯୁଗଳ ବାବୁ କହିଲେ, ହିସାବ କରି ଦେଖନ୍ତୁ ତ ଗୋଟେ ମାସରେ ପେପର ପିଛା ଖର୍ଚ୍ଚ କେତେ ପଡୁଚି, ଅତି କମ୍‌ରେ ମାସକୁ ଦୁଇ ଶହ। ସେଇ ହିସାବରେ ବର୍ଷକୁ କେତେ ହେଲାଣି କହିଲେ! ବିକାଶବାବୁ କହିଲେ, ଗୋଟେ ମୋବାଇଲରେ ଅତି କମ୍‌ରେ ଦୁଇ ଶହ ଟଙ୍କା ରିଚାର୍ଜ ହେଉଥିବେ, ଆପଣଙ୍କ ଘରେ ପାଞ୍ଚଟା ମୋବାଇଲ। ତା’ ତୁଳନାରେ ଖବରକାଗଜ ମୂଲ୍ୟ କିଛି ବି ନୁହେଁ। ଯୁଗଳବାବୁ ଏବେ ଚୁପ ପଡ଼ିଗଲେ। ଆଜିର ସମୟରେ ନିଜେ ସମ୍ପୂର୍ଣ୍ଣ ଠିକ୍‌ ବୋଲି ସମସ୍ତେ ସବୁ ସମୟରେ ଯୁକ୍ତି ବାଢ଼ନ୍ତି। ଆଉ ଯେବେ ନିଜ ଭୁଲକୁ କେହି ସାମ୍ନାରେ କହିଦିଏ ତେବେ ତ କଥା ସରିଲା। ଏକଥାଟି ଅପ୍ରିୟ ସତ ଯେ ନିଜକୁ ଘଣ୍ଟ ଘୋଡ଼େଇବାକୁ ଆମେ ସଭିଏଁ ବ୍ୟାକୁଳ। କଥା ବଢ଼ିଲେ ଯୁକ୍ତିତର୍କରୁ ଯାଏ କଳି ପର୍ଯ୍ୟନ୍ତ। ହେଲେ ସତ ସବୁବେଳେ ସତ। ନିଜ ଦୋଷତ୍ରୁଟି ପାଇଁ ପରବର୍ତ୍ତୀ ସମୟରେ ନିଜକୁ ହିଁ ଏହାର କ୍ଷତି ଭରଣା କରିବାକୁ ପଡ଼ିବ ଏଥିରେ ଆଦୌ ଦ୍ୱିମତ ନାହିଁ।
ଆମ ଦୋଷ ଦୁର୍ବଳତାର ତାଲିକା ଖୁବ୍‌ ଲମ୍ବା। ହିସାବରେ ଅନ୍ୟଠାରୁ କାମ ହାସଲ କରିପାରୁ, ହେଲେ ଅନ୍ୟକୁ ସାହାଯ୍ୟ ସହଯୋଗ ବେଳେ ପଛଘୁଞ୍ଚା ଦେଉ। ନିଜ ଆଖପାଖରେ କିଏ ଠକ, ଚୋର, ଟାଉଟର ଧୋକାବାଜ, ମତଲବି, ଗର୍ବୀ, ଅହଂକାରୀ ଖୁବ୍‌ ଭଲ ହିସାବ ରଖିପାରୁ ା ହେଲେ ନିଜେ କ’ଣ ତାହା ପରଖିବାକୁ ସମୟନାହିଁ । ଆୟ ଦେଖି ବ୍ୟୟ କରିବା ଉପଦେଶ ଅନ୍ୟକୁ ଦେବା ପରିବର୍ତ୍ତେ ବରଂ ନିଜେ ପାଳନ କଲେ ଉଚିତ ହେବ। ଆଉ ଯେବେ କିଛି ପରିବର୍ତ୍ତନ ଚାହୁଁଛ ପ୍ରଥମେ ନିଜଠାରୁ ଆରମ୍ଭ ହେଲେ ଅନ୍ୟ ପାଇଁ ଏକ ଉଦାହରଣ ସୃଷ୍ଟି ହେବ। ହିସାବୀ ଲୋକ ସବୁର ହିସାବ ରଖେ ଆଉ ବେହିସାବୀ ଲୋକ କେତେ ଆଇଲା କେତେ ଗଲା ତା’ର ପରବାଏ ନ ଥାଏ। ଆଉ ସେଇ ହିସାବୀ ଲୋକଙ୍କ ଭିତରେ ଅନେକ ଅଛନ୍ତି ନିଜ ଦୈନନ୍ଦିନ ବଦଖର୍ଚ୍ଚକୁ ସାମାନ୍ୟ କହି ଏଡ଼ାଇ ଦିଅନ୍ତି। ସାମାନ୍ୟ କହୁଥିବା ଖର୍ଚ୍ଚ ଧୀରେ ଧୀରେ ପାଲଟି ଯାଏ ବିଶାଳ ବୋଝ। ଖର୍ଚ୍ଚକୁ ଯେତେ ଜଗିଲେ କ’ଣ ହେବ ଯଦି ନିଶାପାଣିରେ ଅଭ୍ୟସ୍ତ, ଟଙ୍କା ସଞ୍ଚୟ ବଡ଼ କଷ୍ଟକର। ବଦ ଅଭ୍ୟାସରେ ଟଙ୍କା ଉଡ଼ାଇବା ଅର୍ଥ ନିଜ ଗୋଡ଼ରେ ନିଜେ କୁରାଢ଼ି ମାରିବା। କଥାରେ ଅଛି ‘ପାନବିଡ଼ି ନୁହେଁ ଛୋଟିଆ ନିଶା ଜଣାପଡ଼େ ନାହିଁ ଟାଣେ ପଇସା’। ନିଶାଦ୍ରବ୍ୟ ଯେବେ ଜଟିଳ ରୋଗକୁ ନିମନ୍ତ୍ରଣ କଲା ତେବେ ତ କଥା ସରିଲା। ଜୀବନ ତମାମ ଖଟିଖଟି ସଞ୍ଚିଥିବା ଧନ ଶେଷରେ ଯିବ ଡାକ୍ତର ପେଡ଼ିକୁ। ଫିଲ୍ମ ଦେଖା, ବୁଲାବୁଲି, ହୋଟେଲ ଖିଆପିଆ ଅନେକଙ୍କ ସଉକ। ଏସବୁ କେବଳ ବ୍ୟୟଭାର ବୃଦ୍ଧିର ମୂଳ କାରଣ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ଚିନ୍ତା ଓ ଦୁଃଖର ହୁଏ ଆଗମନ। ଏମିତିରେ ମଧ୍ୟବିତ୍ତ ପରିବାରରେ ଅଭାବଅନଟନ ଅତି ସାଧାରଣ କଥା। ହିସାବୀ ପ୍ରକୃତରେ ସିଏ ଯିଏ ପଇସାର ଠିକ୍‌ ମୂଲ୍ୟ ବୁଝେ ଆଉ ନିଜ ଆୟ ଦେଖି ବ୍ୟୟ କରେ। ଆଜିର ମଣିଷ ସମ୍ପୂର୍ଣ୍ଣ ଓଲଟା ସ୍ବଭାବର। ବଦଖର୍ଚ୍ଚରୁ ନିବୃତ୍ତ ନ ହୋଇ ଜରୁରୀ ଆବଶ୍ୟକତା ବାଦ୍‌ ଦିଏ । ଉଦାହରଣ ଆଜି ପଇସା ଅଛି ପୁଳାଏ କ’ଣ ମଗେଇ ଖାଇଦେବା, ଭଲମନ୍ଦ କିଣି ପିନ୍ଧିଦେବା। ବଦଭ୍ୟାସ କେବଳ ଆମ ଅହଂ ଭାବନା ଓ ବେପରୁଆ ମନୋଭାବର ପରିଚୟ ଦିଏ। ସେପଟେ ଜରୁରୀ ଆବଶ୍ୟକତା ପୂରଣ କଲା ବେଳକୁ ପକେଟ ଖାଲି। ଏଣୁତେଣୁ ଖର୍ଚ୍ଚବାର୍ଚ୍ଚରେ ଆନନ୍ଦ ଅଧିକ ଆଉ ହିସାବ ବେଳକୁ ବଢ଼ଇ ଚିନ୍ତା । ମଧ୍ୟବିତ୍ତ ପରିବାରର ଏସବୁ ସାଧାରଣ କଥା। ପ୍ରତ୍ୟେକ ମାସର ଶେଷ ସପ୍ତାହକୁ ଦରମା ଖାଲି ଆଉ ଘରେ ବିଶୃଙ୍ଖଳା। ଏଣୁ ବେହିସାବୀ ହୋଇ ଖର୍ଚ୍ଚବାର୍ଚ୍ଚ ନ କରି ବରଂ ଜଣେ ଦାୟିତ୍ୱବାନ ଓ କର୍ତ୍ତବ୍ୟପରାୟଣ ଭାବରେ କାର୍ଯ୍ୟ କଲେ ନିଜର ତଥା ନିଜ ପରିବାରର ମଙ୍ଗଳ ହିଁ ହେବ।
ମଙ୍ଗଳାବାଗ, କଟକ
ମୋ: ୯୯୩୭୯୬୩୯୧୦