Categories: ଖେଳ

ବେୟାରଷ୍ଟୋଙ୍କୁ ଆଇସିସିର ଭର୍ତ୍ସନା

ଦୁବାଇ, ୧୨ା୧୧ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋଙ୍କୁ ଭର୍ତ୍ସନା କରିଛି। ଅକ୍‌ଲାଣ୍ଡର ଇଡେନପାର୍କଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ନିର୍ଣ୍ଣାୟକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଆଉଟ୍‌ ହେବା ପରେ ସେ ଆପତ୍ତିଜନକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ବେୟାରଷ୍ଟୋ ଏହି ମ୍ୟାଚରେ ମାତ୍ର ୧୮ ବଲ୍‌ରେ ୪୭ ରନ କରିଥିଲେ। ମାତ୍ର ଖେଳାଳି ଏବଂ ଖେଳାଳିଙ୍କ ସହାୟକଙ୍କ ଲାଗି ଉଦ୍ଦିଷ୍ଟ ଆଇସିସି ଆଚରଣବିଧିର ଧାରା-୧ର ଉଲ୍ଲଂଘନ କରିଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ସେ ଏକ ଡିମେରିଟ୍‌ ପଏଣ୍ଟ ପାଇଛନ୍ତି। ଘଟଣାଟି ରବିବାର ଘଟିଛି। ୭ମ ଓଭରରେ ବେୟାରଷ୍ଟୋଙ୍କ ଉଇକେଟ ପତନ ପରେ ସେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ। ଷ୍ଟମ୍ପ୍‌ ମାଇକ୍ରୋଫୋନ୍‌ ଯୋଗୁ ଇଂଲଣ୍ଡ ଖେଳାଳି ଜଣକ ଯାହା କହିଥିଲେ ତାହା ଟେଲିଭିଜନରେ ଶୁଣିବାକୁ ମିଳିଥିଲା। ପରଦିନ ବେୟାରଷ୍ଟୋ ନିଜ ଭୁଲ ସ୍ବୀକାର କରିଥିଲେ। ଆଇସିସି ଏଲିଟ୍‌ ପ୍ୟାନେଲ ମ୍ୟାଚ ରେଫରି ଆଣ୍ଡି ପାଇକ୍ରଫ୍ଟଙ୍କ ଦ୍ୱାରା କରାଯାଇଥିବା ଦଣ୍ଡ ବିଧାନକୁ ସେ ଗ୍ରହଣ କରିବା ଦ୍ୱାରା ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ି ନ ଥିଲା।

Share