ବୈଜ୍ଞାନିକଙ୍କ ସତର୍କ ସୂଚନା: କରୋନା ଚିକିତ୍ସାରେ ମ୍ୟାଲେରିଆ ଔଷଧ ହୃତ୍‌ପିଣ୍ଡରେ ସମସ୍ୟା ସୃଷ୍ଟି କରିପାରେ

ନୂଆଦିଲ୍ଲୀ,୩ା୪(ପି.ଟି.): କରୋନା ଭୂତାଣୁ ବା କୋଭିଡ୍‌-୧୯ ଚିକିତ୍ସା ଲାଗି ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସକ୍ଲୋରୋକୁଇନ୍‌ ଏବଂ ଆଣ୍ଟିବାୟୋଟିକ୍‌ ଆଜିଥ୍ରୋମାଇସିନ୍‌ ବ୍ୟବହାର କରାଯାଉଛି। ତେବେ ଏଭଳି ଔଷଧ ସେବନ ହୃତ୍‌ପିଣ୍ଡ ସମସ୍ୟା ସୃଷ୍ଟି କରିପାରେ ବୋଲି ଆମେରିକାର ହୃଦ୍‌ବିଶେଷଜ୍ଞ ସତର୍କ କରାଇଦେଇଛନ୍ତି। ଯେଉଁ କୋଭିଡ୍‌-୧୯ ରୋଗୀମାନଙ୍କର ମ୍ୟାଲେରିଆ-ଆଣ୍ଟିବାୟୋଟିକ୍‌ ଔଷଧରେ ଚିକିତ୍ସା କରାଯାଉଛି ସେମାନଙ୍କର ଭେଣ୍ଟ୍ରିକୁଲାର ଆରିଥ୍‌ମିଆ ଯାଞ୍ଚ କରିବା ଆବଶ୍ୟକ ବୋଲି ଓରେଗାନ୍‌ ହେଲ୍‌ଥ ଆଣ୍ଡ ସାଇନ୍ସ ୟୁନିଭର୍ସିଟି (ଓଏଚ୍‌ଏସ୍‌ୟୁ) ଏବଂ ଇଣ୍ଡିଆନା ୟୁନିଭର୍ସିଟିର ଗବେଷକମାନେ ସୁପାରିସ୍‌ କରିଛନ୍ତି। କାରଣ ଉପରୋକ୍ତ ଔଷଧ ସେବନ ହୃତ୍‌ପିଣ୍ଡର ନିମ୍ନ ଚାମ୍ବରର ସ୍ପନ୍ଦନ ବଢ଼ାଇଦେଇଥାଏ ଓ ଏଥିରେ ଅନିୟମିତତା ଦେଖାଦେଇଥାଏ, ଯାହା ହୃଦ୍‌ଘାତ ଭଳି ସମସ୍ୟା ଆଡକୁ ନେଇଯାଇପାରେ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି। ଆମେରିକୀୟ କଲେଜ୍‌ ଅଫ କାର୍ଡିଓଲୋଜିର ଏକ ପତ୍ରିକାରେ ଏହି ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶ ପାଇଛି। ଯେଉଁମାନଙ୍କ ହୃଦ୍‌ସମସ୍ୟା ରହିଛି ସେମାନଙ୍କ ପାଇଁ ଉଭୟ ଔଷଧ ଏକତ୍ର ସେବନ ବିପଦ ବଢ଼ାଇପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଡାକ୍ତରମାନେ କରୋନା ଚିକିତ୍ସା ଲାଗି ଔଷଧ ଲେଖିବା ବେଳେ ଏହାର ପ୍ରତିକ୍ରିୟା ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ ବୋଲି ଓଏଚ୍‌ଏସ୍‌ୟୁ ସ୍କୁଲ୍‌ ଅଫ୍‌ ମେଡିସିନ୍‌ର ଆସୋସିଏଟ ପ୍ରଫେସର ଷ୍ଟେକର୍‌ କହିଛନ୍ତି।

Share