ବୈଜ୍ଞାନିକ ତିଆରି କଲେ ନିଆରା ମେଶିନ: ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର

ଲଣ୍ଡନ,୧୪।୧: ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରିଦିଆଯାଇଥିବା କୁହାଯାଏ। ବିଶେଷଜ୍ଞଙ୍କ ମତରେ ଲିଭର ବାହାର କରିବାର ୬ ଘଣ୍ଟା ଭିତରେ ଓ କିଡ୍‌ନୀ ବାହାର କରିବାର ୧୨ ଘଣ୍ଟା ମଧ୍ୟରେ ପ୍ରତିରୋପଣ କରିବା ଭଲ। ମେଡିକାଲ ସାଇନ୍ସ କୁହେ ଯେଉଁ ଅଙ୍ଗକୁ ଯେତେଶୀଘ୍ର ପ୍ରତିରୋପଣ କରାଯିବ ତାହା ସେତେ ଅଧିକ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ଥାଏ। ହେଲେ ବୈଜ୍ଞାନିକମାନେ ଏବେ ଏମିତି ଏକ ମେଶିନ ତିଆରି କରିଛନ୍ତି ଯାହା ମଣିଷର ଲିଭରକୁ ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରଖିପାରିବ ବୋଲି କୁହାଯାଏ। ଇଟିଏଚ୍‌ ଜୁରିଚ୍‌ ଇନ୍‌ ସ୍ବିଜରଲାଣ୍ଡ(ETH Zurich in Switzerland)ର ବୈଜ୍ଞାନିକମାନେ କହିଛନ୍ତି ଏହି ମେଶିନ ଦ୍ୱାରା ଖରାପ ହୋଇଥିବା ଲିଭରର ଚିକିତ୍ସା ମଧ୍ୟ ସହଜ ହେବ। ଏହାଦ୍ୱାରା ଲିଭର ଶରୀର ବାହାରେ ମଧ୍ୟ ସୁସ୍ଥ ରହିପାରିବ ବୋଲି ଏମାନେ କହିଛନ୍ତି। ଏହି ମେଶିନ ସମ୍ପର୍କରେ journal Nature Biotechnologyରେ ଉଲ୍ଲେଖ କରାଯାଇଛି। ବିଶେଷଜ୍ଞମାନେ ଦାକି କରିଛନ୍ତି ଏହି ମେଶିନ ସାହାଯ୍ୟରେ କ୍ୟାନସର ପୀଡିତଙ୍କ ଚିକିତ୍ସା ମଧ୍ୟ କରାଯାଇ ପାରିବ। ଉକ୍ତ ଜର୍ଣ୍ଣାଲ ଏହି ମେଶିନକୁ complex perfusion system ଭାବେ ଅଭିହିତ କରିଛି। ଇଟିଏଚ୍‌ ଜୁରିଚ୍‌ର ବିଶେଷଜ୍ଞ Pierre Alain Clavien କହିଛନ୍ତି ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ ଏକ ଦଳ ୪ ବର୍ଷ ଧରି କାମ କରିବା ପରେ ଏହି ମେଶିନ ତିଆରି ହୋଇଛି।

Share