ବୈତରଣୀକୁ ଧସିଲା ୧୦୦ ଫୁଟ ମାଟି ଅତଡ଼ା

ଆରଡ଼ି, ୧୯।୬ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବୋଡ଼କ ଖେଳପଡ଼ିଆ ନିକଟରେ ବୁଧବାର ସକାଳେ ପ୍ରାୟ ୧୦୦ ଫୁଟ ଲମ୍ବର ମାଟି ଅତଡ଼ା ବୈତରଣୀ ନଦୀଗର୍ଭକୁ ଧସିଛି। ସେଠାରେ ବୈତରଣୀ ନଦୀ ଧୀରେ ଧୀରେ ଆରଡ଼ି-ଯାଜପୁର ରାସ୍ତା ଆଡ଼କୁ ମୁହଁାଉଥିବା କୁହାଯାଉଛି। ଖେଳପଡ଼ିଆଠାରୁ କୟଁାଗୋଲା ପୋଲ ପର୍ଯ୍ୟନ୍ତ ନୂତନ ଭାବେ ନଦୀବନ୍ଧ ନିର୍ମାଣ କରାଯିବା ସହ ପଥରପ୍ୟାକିଂ ଲାଗି ପୂର୍ବରୁ ପ୍ରସ୍ତାବ ରହିଛି। ଏଥିନିମନ୍ତେ ଆବଶ୍ୟକ ଅର୍ଥରାଶି ମଧ୍ୟ ମଞ୍ଜୁର ହୋଇଥିବା କୁହାଯାଉଥିଲେ ମଧ୍ୟ ନିର୍ମାଣ ହୋଇପାରୁ ନାହିଁ। ଏହି ଅଞ୍ଚଳରେ ବର୍ଷ ବର୍ଷ ଧରି କାମ କରୁଥିବା କେତେକ ଠିକାଦାର ଜଳସେଚନ ବିଭାଗର ହାତବାରିସୀ ସାଜି କାମ କରୁ ନ ଥିବା ବୋଡକ ଅଧିବାସୀ ଅଭିଯୋଗ କରିଛନ୍ତି। ବର୍ଷତମାମ ଠିକ୍‌ ଭାବେ କାମ କରୁ ନ ଥିବାବେଳେ ବର୍ଷାଦିନ ପୂର୍ବରୁ ସଜାଗ ହୋଇ ଉଠନ୍ତି ଏହି ଠିକାଦାର। ବାଲି ବସ୍ତା ଓ ବଲ୍ଲା ନଦୀକୂଳରେ ସଜାଇ ରଖନ୍ତି। ଆବଶ୍ୟକ ସ୍ଥଳେ ଏସବୁକୁ କାମରେ ଲଗାନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାର ପ୍ରସ୍ତାବିତ ନଦୀବନ୍ଧ ଏବଂ ପଥରପ୍ୟାକିଂ କଥା ଭୁଲିଯାଆନ୍ତି। ଫଳରେ ପ୍ରତିବର୍ଷ ଏହି ଆରଡ଼ି ଅଞ୍ଚଳର ଅଧିବାସୀ ବନ୍ୟା ଆଶଙ୍କାରେ ଦିନ କାଳାତିପାତ କରିଥାନ୍ତି। ସେହିପରି ବନ୍ୟାରେ ଏହି ଅଞ୍ଚଳରେ ଚାଷୀମାନଙ୍କର ବହୁ ଫସଲ ନଷ୍ଟ ହୋଇଥାଏ। ଏବେ ନଦୀ ମଧ୍ୟକୁ ମାଟି ଅତଡ଼ା ଧସିବା ଶୁଭଙ୍କର ନୁହେଁ ବୋଲି ବୋଡ଼କ ଗଁାର ଅଧିବାସୀ ରମାକାନ୍ତ ନାୟକ କହିଛନ୍ତି। ଯେଉଁଠାରେ ମାଟି ଅତଡ଼ା ଧସୁଛି ସେଠାରେ ପଥରପ୍ୟାକିଂ ହେବା ଜରୁରୀ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଉପଖଣ୍ଡ ଅଧିକାରୀ ଭୁବନାନନ୍ଦ ମହାନ୍ତିଙ୍କୁ ପଚାରିବାରୁ କହିଛନ୍ତି ଯେ, ଯେଉଁଠାରେ ମାଟି ଧସିଛି ସେଠାରେ କୌଣସି ବିପଦ ନାହିଁ। ଆବଶ୍ୟକସ୍ଥଳେ ସେଠାରେ ପଥରପ୍ୟାକିଂ କରାଯିବ।

Share