ବୈତରଣୀରେ ଜଳସ୍ତର ବୃଦ୍ଧି: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଭଣ୍ଡାରିପୋଖରୀ, ୨୦।୮ (ଡି.ଏନ.ଏ.) – ବୈତରଣୀ ନଦୀର ଆଖୁଆପଦାଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୬ଟାଠାରୁ ଜଳସ୍ତର ଆଖୁଆପଦାଠାରେ ଦ୍ରୁତଗତିରେ ବୃଦ୍ଧି ପାଇବା ଆରମ୍ଭ କରିଥିଲା। ରାତି ୯ଟା ସୁଦ୍ଧା ୧୭.୮୦ ମିଟରରେ ପହଞ୍ଚିଥିଲା। ଆଖୁଆପଦାଠାରେ ବୈତରଣୀ ନଦୀ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ସୂଚନା ଅନୁସାରେ, ବନ୍ୟାଜଳ ମଧ୍ୟାହ୍ନ ୧୨ଟା ସୁଦ୍ଧା ୧୭.୫୭ ମିଟରରେ ପହଞ୍ଚିଥିଲା। ଅପରାହ୍ନ ୧ ଟାରେ ୧୭.୬୨, ୨ଟାରେ ୧୭.୬୬, ୩ଟାରେ ୧୭.୭୦, ୪ଟାରେ ୧୭. ୭୪ ଓ ୫ଟାରେ ୧୭.୭୬ ମିଟରରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ପରେ ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଇ ୧୭.୮୦ ମିଟର ଛୁଇଁଥିଲା।
ବୈତରଣୀ ନଦୀର ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ ଆଖୁଆପଦାରେ ୦.୬ ମି.ମି., ଆନନ୍ଦପୁରଠାରେ ୬.୪ ମି.ମି., ସୋମପାଟଣାରେ ୧୨.୪ ମି.ମି., କେନ୍ଦୁଝରରେ ୧୩.୮ ମି.ମି., ଠାକୁରମୁଣ୍ଡାରେ ୧୬.୦ ମି.ମି. ଓ ଚମ୍ପୁଆଠାରେ ୫୧.୪ ମି.ମି. ତଥା ସର୍ବାଧିକ ବର୍ଷା ହୋଇଛି। ବୈତରଣୀରେ ବନ୍ୟାଜଳ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସୋମବାର ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଉପଜିଲାପାଳ ପୀତାମ୍ବର ସାମଲ, ଭଣ୍ଡାରିପୋଖରୀ ବିଡିଓ ବନମାଳି ତରାଇ, ତହସିଲଦାର ମୃତ୍ୟୁଞ୍ଜୟ ଭୁୟଁା, ଆଖୁଆପଦା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା ପ୍ରମୁଖ ଆଖୁଆପଦା ଆନିକଟଠାରେ ପହଞ୍ଚି ବନ୍ୟା ସ୍ଥିତି ସମ୍ପର୍କରେ ତଦାରଖ କରି ଫେରିଥିଲେ। ତେବେ ଏହି ବନ୍ୟାଜଳ ବେଶି ବୃଦ୍ଧି ପାଇବାର ଆଶଙ୍କା ନାହିଁ। ଆନନ୍ଦପୁରଠାରେ ବନ୍ୟାଜଳ କମିଲାଣି ବୋଲି ଆଖୁଆପଦା ସହକାରୀ ଯନ୍ତ୍ରୀ ବେହେରା ସୂଚନା ଦେଇଥିଲେ।