ବୈତରଣୀରେ ଜଳସ୍ତର ବୃଦ୍ଧି

ଭଣ୍ଡାରିପୋଖରୀ, ୨ା୭(ଡି.ଏନ୍‌.ଏ.)- ଦୁଇଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି। ନଦୀ ଉପରମୁଣ୍ଡରେ ଆଖୁଆପଦାଠାରେ ୩୪.୦ ମି.ମି., ଆନନ୍ଦପୁରରେ ୫୯.୦୮, ସୋମପାଟଣାରେ ୧୯.୪, କେନ୍ଦୁଝରରେ ୨୬.୨ ଏବଂ ଚମ୍ପୁଆରେ ୫୫.୦ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ବୈତରଣୀ ନଦୀର ଆଖୁଆପଦା ଆନିକଟଠାରେ ୧୫.୨୫ ମିଟରରେ ବର୍ଷାଜଳ ପ୍ରବାହିତ ହେଉଛି। ସେଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର । ବିଭିନ୍ନ ସ୍ଥାନରେ ନଦୀ ଶୁଖିଲା ଥିବାରୁ ବନ୍ୟା ଆଶଙ୍କା ନାହିଁ ବୋଲି ଆନିକଟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।