Categories: ଭଦ୍ରକ

ବୈତରଣୀରେ ବଢୁଛି ଜଳସ୍ତର

ଭଣ୍ଡାରିପୋଖରୀ, ୧୮।୮ (ଡି.ଏନ.ଏ.)- ବୈତରଣୀ ନଦୀରେ ଜଳସ୍ତର ବଢୁଛି। ବୈତରଣୀ ନଦୀର ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି। ରବିବାର ସକାଳୁ ଜଳସ୍ତର କମି ଅପରାହ୍ନ ୪ଟାରେ ସ୍ଥିର ହୋଇ ୧୬.୭୨ ମିଟରରେ ପହଞ୍ଚିଥିଲା। ବନ୍ୟାଜଳ ୫ଟାରେ କ୍ରମଶଃ ବୃଦ୍ଧି ପାଇବା ଆରମ୍ଭ କରିଛି। ୫ ଟାରେ ବନ୍ୟାଜଳ ଆଖୁଆପଦାଠାରେ ୧୬.୭୪ ମିଟରରେ ପ୍ରବାହିତ ହୋଇଥିଲା। ନଦୀର ଅବବାହିକାରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ ଆଖୁଆପଦାଠାରେ ୪୦.୨ ମି.ମି., ଆନନ୍ଦପୁରରେ ୫୨.୪ ମି.ମି., ସୋମପାଟଣାରେ ୫୫.୮ ମି.ମି., କେନ୍ଦୁଝରରେ ୨୬.୮ ମି.ମି., ଠାକୁରମୁଣ୍ଡାରେ ୫୦.୪ ମି.ମି. ଓ ଚମ୍ପୁଆଠାରେ ୨୪.୨ ମି.ମି. ବର୍ଷା ହୋଇଛି। ତେବେ ଏହି ବନ୍ୟାଜଳ ବୃଦ୍ଧି ପାଇ ବିପଦ ସଙ୍କେତ ପାଖାପାଖି ହୋଇପାରେ ବୋଲି ଆଖୁଆପଦା ଫ୍ଲଡ ସେଲ୍‌ ସୂତ୍ରରୁ ପ୍ରକାଶ।