ବୈତରଣୀରେ ଲୀନ ହେବାକୁ ବସିଛି ଧରମପୁର ଗାଁ: ସ୍ଥିତି ପରଖିଲେ ଜଳସମ୍ପଦ ବିଭାଗ ଅଧିକାରୀ, ନଦୀବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ

ଦଶରଥପୁର,୨୯।୯(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ କୟାଁ ପଞ୍ଚାୟତ ଅଧୀନ ଧରମପୁର ଗାଁ ପାର୍ଶ୍ୱ ଦେଇ ଯାଇଥିବା ବୈତରଣୀ ନଦୀ ଧିରେଧିରେ ନଦୀପଠାକୁ ଖାଇ ଚାଲିଛି। ଫଳରେ ନଦୀକୁ ଲାଗି ରହିଥିବା ଧରମପୁର ଗ୍ରାମଟି ଭବିଷ୍ୟତରେ ନଦୀରେ ଲୀନ ହୋଇଯିବାର ଆଶଙ୍କା ଦେଖାଦେଇଛି। ଏନେଇ ସମ୍ପୃକ୍ତ ଗ୍ରାମବାସୀ ରାଜନେତାଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନ ବହୁବାର ଦୃଷ୍ଟି ଆକର୍ଷଣ କରିବା ପରେ ଜଳସମ୍ପଦ ବିଭାଗ ଅଧିକାରୀ ଶନିବାର ସ୍ଥିତି ପରଖିଛନ୍ତି। ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଚଣ୍ଡେଶ୍ୱର ବେହେରା, ଯାଜପୁର ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ଧନେଶ୍ୱର ସାମଲ ପ୍ରମୁଖଙ୍କ ସହ ବିଭାଗୀୟ ଅନ୍ୟାନ୍ୟ କର୍ମଚାରୀ ଶନିବାର ଧରମପୁର ଗ୍ରାମରେ ପହଞ୍ଚି ନଦୀ ଖାଉଥିବା ସ୍ଥାନକୁ ଯାଇ ସ୍ଥିତି ପରଖିଥିଲେ। ସୂଚନା ଯେ, ପ୍ରତିବର୍ଷ ନଦୀରେ ବନ୍ୟା ଆସିଲେ ଧରମପୁର ଗ୍ରାମବାସୀଙ୍କ ମନରେ ଛନକା ପଶିଥାଏ। ଗ୍ରାମର ଏପରି ଅବସ୍ଥାକୁ ଅନୁଧ୍ୟାନ କରି ଗ୍ରାମକୁ ନଦୀ ପ୍ରକୋପରୁ ରକ୍ଷା କରିବାକୁ ଜଳସମ୍ପଦ ବିଭାଗ ଧମରପୁରଠାରୁ ଗହୀରାପାଳ ପର୍ଯ୍ୟନ୍ତ ନଦୀ କୂଳେକୂଳେ ବନ୍ଧ ନିର୍ମାଣ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କ ନିକଟରେ ପ୍ରସ୍ତାବ ଦେଇଥିଲେ। ଖୁବ୍‌ଶୀଘ୍ର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ କରାଯିବ ବୋଲି ସୁପରିଟେଣ୍ଡେଣ୍ଟ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ଗ୍ରାମ ନିକଟରେ ଥିବା ନଦୀପଠାକୁ ଯାଜପୁର ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ନିମ୍ନଭାଗରୁ ଉପର ଭାଗ ପର୍ଯ୍ୟନ୍ତ ପଥର ପ୍ୟାକିଂ କରାଯାଇ ସ୍ଲୋପ୍‌ ପ୍ରୋଟେକ୍‌ଶନ୍‌ କାର୍ଯ୍ୟ କରାଯାଇଛି। ପ୍ରାୟ ୨୨ଲକ୍ଷ ୫୫ହଜାର ୧୭୯ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି କାର୍ଯ୍ୟକୁ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ତନଖି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର କର, ଦଶରଥପୁର କନିଷ୍ଠ ଯନ୍ତ୍ରୀ ଭାଗବତ ବେହେରାଙ୍କ ସହ ବିଭାଗର ଅନ୍ୟ ବହୁ ଅଧିକାରୀ ସୁପରିଟେଣ୍ଡେଣ୍ଟଙ୍କ ଏହି ପରିଦର୍ଶନବେଳେ ସାଥିରେ ଥିଲେ। ଜଳସମ୍ପଦ ବିଭାଗ ପକ୍ଷରୁ ଗ୍ରାମକୁ ନଦୀ ପ୍ରକୋପରୁ ରକ୍ଷା କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ନଦୀବନ୍ଧ ପ୍ରସ୍ତାବକୁ ଜାଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।