Categories: ଯାଜପୁର

ବୈତରଣୀ ନଦୀରେ ବନ୍ୟା ଜଳ:କାଣୀନଦୀର କଣ୍ଟପଡ଼ାଠାରେ ୪୦ଫୁଟ ଘାଇ

ଦଶରଥପୁର, ୧୧-୯(ଡିଏନ୍‌ଏ)- ଲଘୁଚାପ ବର୍ଷାରେ ବୈତରଣୀ ନଦୀରେ ବନ୍ୟା ଆସିବା ଫଳରେ ଏହାର ଶାଖା କାଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଛି। ଯାହଫାଳରେ ଦଶରଥପୁରବ୍ଲକସ୍ଥିତ ଦୁଦୁରାଅନ୍ତା ପଞ୍ଚାୟତ କଣ୍ଟପଡ଼ାଠାରେ କାଣୀନଦୀ ବନ୍ଧରେ ସୋମବାର ୪୦ଫୁଟ ଚଉଡ଼ାର ଘାଇ ସୃଷ୍ଟି ହୋଇଛି। ଏହି ଘାଇ ହେବା ଦ୍ୱାରା ଦୁଦୁରାଅଣ୍ଟା, ମଲ୍ଲିକାପୁର, ଶୁଶୁଆ, ଦତ୍ତପୁର, ନିଜାମପୁର ଆଦି ପଞ୍ଚାୟତର ଧାନବିଲରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହାଛଡ଼ା ଗଣ୍ଡକୂଳ ଶିବମନ୍ଦିର ଠାରେ ଏକ ଗଛ ପଡ଼ି ବନ୍ଧ ଦୁର୍ବଳ ହୋଇଯାଇଥିବାବେଳେ ଏହାକୁ ଜଳସମ୍ପଦ ବିଭାଗ ପକ୍ଷରୁ ତୁରନ୍ତ ମରାମତି କରାଯାଇପାରି ନ ଥିବା କନିଷ୍ଠ ଯନ୍ତ୍ରୀ ଭଗତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ତେବେ ମଙ୍ଗଳବାର ଜଳସ୍ତର ସମ୍ପୂର୍ଣ୍ଣଭାବେ କମିଥିବା ପରିଲ୍ଲକ୍ଷିତ ହୋଇଛି। ସୋମବାର ଦଶରଥପୁରଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୯.୫୨ ମିଟରକୁ ଟପି ୧୦.୯୮ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ମଙ୍ଗଳବାର ଏହା ବିପଦ ସଙ୍କେତ ତଳକୁ ଖସିଯାଇଛି। ସେହିପରି କାଣି ନଦୀରେ ବିପଦ ସଂକେତ ୭.୩୧ ଥିବାବେଳେ ସଂ୍ଯଯା ସୁଧା ୮.୮୨ ରହିଥିଲା ମାତ୍ର ମଙ୍ଗଳବାର ଏହା ୫.୬୨ କୁ ଖସିଯାଇଛି ା ଦଶରଥପୁର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ବନ୍ୟାଜଳ କମୁଥିବା ନେଇ ସୂଚନା ଦେଇଥିବାବେଳେ ଏହି ବନ୍ୟାରେ ମଲ୍ଲିକାପୁର-ପଲ୍ଲାସାହି ରାସ୍ତାର ମଲ୍ଲିକାପୁର ଗ୍ରାମ ଶେଷ ସୀମାରେ ଥିବା କାଣୀନଦୀର ପୋଲ ଉପରେ ସୋମବାର ୧ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିଲା। କଣ୍ଟପଡାଠାରେ ହୋଇଥିବା ଘାଇଟି ବିଲ ପାର୍ଶ୍ୱରେ ହୋଇଥିବାରୁ ବିଶେଷ କରି ଚାଷ ଜମି ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଏହି ବନ୍ୟା ଜଳ ୨ ଶହ ହେକ୍ଟରରୁ ଅଧିକ ଚାଷ ଜମିରେ ମାଡି ରହିଛି ା ପ୍ରକାଶଥାଉକି ଏବେ ଘାଇ ହୋଇଥିବା ସ୍ଥାନରେ ୨୦୧୮ସେପ୍ଟେମ୍ବର ୨ତାରିଖରେ ମଧ୍ୟ ଘାଇ ସୃଷ୍ଟି ହୋଇଥିଲା। ଘାଇ ହୋଇଥିବା ସ୍ଥାନଟି ଡ୍ରେନେଜ ବିଭାଗ ପକ୍ଷରୁ ଖନନ କରାଯାଇ ନୂତନ ବନ୍ଧ ନିର୍ମାଣ ହୋଇଥିଲା। ଏଥିପୂର୍ବରୁ ବହୁ ବାର ଜଳସମ୍ପଦ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କାର କାମ ହୋଇଥିବାବେଳେ ବାରମ୍ବାର ସେଠାରେ ବନ୍ଦ ଭାଙ୍ଗିବା ଠିକାଦାରଙ୍କ କାର୍ଯ୍ୟଶୈଳୀ ଓ ବିଭାଗୀୟ ଅଧିକାରୀଙ୍କ ତଦାରଖର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଡ୍ରେନେଜ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ମତାମତ ମିଳିପାରି ନାହିଁ।