ବୈତରଣୀ ପାର୍ଶ୍ୱରୁ ଭଙ୍ଗାଗଲା ଉଠାଦୋକାନ

ଚାନ୍ଦବାଲି,୧୯।୩(ଡି.ଏନ.ଏ.)-ବୈତରଣୀ ନଦୀ କୂଳରେ ପଥର ବିଛା କାମ ପାଇଁ ଚାନ୍ଦବାଲି ସହର ନିକଟ ନଦୀ କୂଳରୁ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପୋଲିସ ଉପସ୍ଥିତିରେ ମେଶିନ ସହାୟତାରେ ଦୋକାନଗୁଡ଼ିକୁ ଭଙ୍ଗାଯିବା ସହିତ ଜବରଦଖଲମୁକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଚାନ୍ଦବାଲି କ୍ରସଷ୍ଟାଣ୍ଡ ରୋଡ୍‌ର ଅରଣ୍ୟ ନିବାସ ସମ୍ମୁଖରେ ଉଚ୍ଛେଦ କାମ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ନଦୀକଡ଼ ବଡ଼ ବଜାରରୁ ଉଦ୍ୟାନବିତ୍‌ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଜବରଦଖଲମୁକ୍ତ କରାଯିବ ବୋଲି ଜଣାଯାଇଛି। ଗୁରୁବାର ଉଚ୍ଛେଦ ପୂର୍ବରୁ ଉଠାଦୋକାନୀମାନଙ୍କୁ ସୂଚନା ଦିଆଯାଇଥିଲା। କେତେଜଣ ଦୋକାନୀ ନିଜ ଉଦ୍ୟମରେ ଆସବାବପତ୍ର ସ୍ଥାନାନ୍ତର କରିଥିବାବେଳେ ଅନ୍ୟ କେତେଜଣ ଉଚ୍ଛେଦକୁ ବିରୋଧ କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ଉଚ୍ଛେଦ ଯୋଗୁ ଚାନ୍ଦବାଲିର ମୁଖ୍ୟ ବ୍ୟବସାୟିକ ଅଞ୍ଚଳ ଶାସ୍ତ୍ରୀଘାଟ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେବ ବୋଲି କୁହାଯାଇଛି। ଉଚ୍ଛେଦ ବେଳେ ତହସିଲଦାର ସୁଶାନ୍ତ କୁମାର ସୂତାର, ଚାନ୍ଦବାଲି ଏନ୍‌ଏସି ଅଧିକାରୀ ଭାଗିରଥୀ ପ୍ରଧାନ ଓ ଥାନାଧିକାରୀ ପ୍ରଜ୍ଞା ମହାନ୍ତି ଉପସ୍ଥିତ ଥିଲେ।