ବୈତରଣୀ ସେତୁ ମରାମତି କାର୍ଯ୍ୟ ଆରମ୍ଭ: ୧୨ରୁ ସେତୁ ଉପରେ ଯାତାୟାତ ବନ୍ଦ

ଆନନ୍ଦପୁର,୧୧।୬(ସ୍ବ.ପ୍ର.): ଦୀର୍ଘଦିନର ଅପେକ୍ଷା ପରେ କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ସେତୁର ମରାମତି କାର୍ଯ୍ୟ ଆରମ୍ଭ ପାଇଁ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଛି। ଏ ନେଇ ଆନନ୍ଦପୁର ଉପଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଏକ ଜରୁରୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଆନନ୍ଦପୁର ଉପଜିଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବୈଠକରେ ପୂର୍ତ୍ତ ବିଭାଗ ସହକାରୀ ଅଧିକାରୀ ସମୀର କୁମାର ଅଧିକାରୀ, ବୈତରଣୀ ବ୍ୟାରେଜ ଡିଭିଜନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବି.ବେହେରା, ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ, ଆନନ୍ଦପୁର ଆଇଆଇସି ଗଗନ ବିହାରୀ ବିଶ୍ୱାଳ, ଆନନ୍ଦପୁର ଅଗ୍ନିଶମ ବିଭାଗ ଅଧିକାରୀ ପ୍ରତାପ କୁମାର ସିଂହ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ମରାମତି କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ଠିକାଦାର ୩ ଦିନ ସମୟ ମାଗିଥିବା ବେଳେ ଅନିବାର୍ଯ୍ୟ କାରଣରୁ ବିଳମ୍ବକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ୧୨ ତାରିଖ ବୁଧବାରଠାରୁ ୧୬ ତାରିଖ ରବିବାର ପର୍ଯ୍ୟନ୍ତ ୫ ଦିନ ସେତୁ ଉପରେ ଯାତାୟାତରେ ରୋକ ଲଗାଯାଇଛି। ତେବେ ଏହି ମରାମତି କାର୍ଯ୍ୟ ଯେତେ ଶୀଘ୍ର ସରିବ ସେବେଠାରୁ ଏହା ସର୍ବସାଧାରଣରେ ଯାତାୟାତର ସୁବିଧା କରାଯିବ ବୋଲି ଉପଜିଲାପାଳ ସାହୁ ସୂଚନା ଦେଇଛନ୍ତି। ନଦୀର ଉଭୟପାର୍ଶ୍ୱକୁ ଲୋକମାନଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ବ୍ୟାରେଜ ରାସ୍ତାକୁ ସାମୂହିକ ମରାମତି କରାଯାଉଛି। ହେଲେ ଏହି ବ୍ୟାରେଜ ରାସ୍ତାରେ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସୂଚନା ମିଳିଛି।