‘ବୈଶାଖୀ ମହୋତ୍ସବ’ର ଦ୍ୱିତୀୟ ସନ୍ଧ୍ୟା: ମନମୋହିଲା ନୃତ୍ୟାଭିନୟ ‘ମୁଁ’

ଭୁବନେଶ୍ୱର,୧୭।୪(ବ୍ୟୁରୋ)- ଚିନ୍ତା ଓ ଚେତନା ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୪୦ତମ ବୈଶାଖୀ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ରାଜ୍ୟର ବହୁ ଜଣାଶୁଣା ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଦ୍ୱାରା ପରିବେଷିତ ମନୋଜ୍ଞ ଓଡ଼ିଶୀ ନୃତ୍ୟ ସନ୍ଧ୍ୟାର ପ୍ରମୁଖ ଆକର୍ଷଣ ସାଜିଥିଲା। ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ମୁଖ୍ୟ ଅଜୟ ବାହାଦୂର, ସନ୍‌ମାର୍ଗ ସମ୍ପାଦକ ଅଶୋକ ପାଣ୍ଡେ, ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀକାନ୍ତ ମିଶ୍ର, ମହାସଚିବ ସୁରେନ୍ଦ୍ର ଦାସ, ପ୍ରୟାସର ମୁଖ୍ୟ ବନବିହାରୀ ମହାନ୍ତି ଓ ସହଦେବ ସାହୁ ଯୋଗଦେଇଥିଲେ। ଓଡ଼ିଆ ନବବର୍ଷକୁ ବର୍ତ୍ତମାନର ଯୁବପିଢ଼ିଙ୍କ ମଧ୍ୟରେ ଉଜ୍ଜୀବୀତ ରଖିବା ଏବଂ ଓଡ଼ିଆ ସଂସ୍କୃତି, ପରମ୍ପରାର ମହାନତାକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିବାରେ ଦୀର୍ଘ ୪୦ବର୍ଷ ଧରି ବୈଶାଖୀ ମହୋତ୍ସବ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଓଡ଼ିଶୀ ନୃତ୍ୟଶିଳ୍ପୀ ଅନନ୍ୟାଙ୍କ ‘ମାନଭଞ୍ଜନ’ ପରିବେଷଣରୁ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା। ଏହାପରେ ‘ନୃତ୍ୟଶାଳା’ ଅନୁଷ୍ଠାନର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟାଭିନୟ ‘ମୁଁ’ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ। ଗୁରୁ ନବକିଶୋର ମିଶ୍ରଙ୍କ ରଚନା, ହିଂମାଶୁ ଶେଖର ସ୍ବାଇଁଙ୍କ ସଙ୍ଗୀତ ନିର୍ଦ୍ଦେଶନା, ଗୁରୁ ଧନେଶ୍ୱର ସ୍ବାଇଁ ଓ କ୍ଷିତିପ୍ରକାଶ ମହାପାତ୍ରଙ୍କ ବାଦ୍ୟ ସଂଯୋଜନା ଏବଂ ଅଶୋକ ଘୋଷାଲଙ୍କ ନୃତ୍ୟ ସଂଯୋଜନାରେ ପ୍ରସ୍ତୁତ ଏହି ନୃତ୍ୟାଭିନୟକୁ ଅତି ଚିତ୍ତାକର୍ଷକ ଭାବେ ମଞ୍ଚରେ ଉପସ୍ଥାପନା କରିଥିଲେ ଶିଳ୍ପୀ। ନୃତ୍ୟ ଏବଂ ଅଭିନୟର ସନ୍ତୁଳନ ସହ ମଣିଷ ଶରୀର କିଭଳି ଆତ୍ମା, ପରମାତ୍ମା ଓ ପ୍ରେତାତ୍ମାର ସମାହାରକୁ ନେଇ ସୃଷ୍ଟି ହୋଇଛି, ତାହାକୁ ଏଥିରେ ପ୍ରଦର୍ଶିତ କରାଯାଇଥିଲା। ସତ୍ୟଯୁଗରେ ହିରନ୍ୟକଶ୍ୟପ, ତ୍ରେତୟାରେ ରାବଣ ଓ ଦ୍ୱାପରର କଂସଠାରୁ କଳିଯୁଗର ‘ମୁଁ’ କିଭଳି ଅଧିକ ଭୟାନକ, ତାହାକୁ ଶିଳ୍ପୀମାନେ ଉପସ୍ଥାପନା କରିଥିଲେ। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ ଏହି କାର୍ଯ୍ୟକ୍ରମର ମିଡିଆ ପାଟର୍ନର ରହିଛି।