Advertisement

ବୈଷ୍ଣବ ରାଉତ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ୮ବର୍ଷ ଜେଲ

ଢେଙ୍କାନାଳ ଅଫିସ, ୩୧।୭-ଢେଙ୍କାନାଳ ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ମଙ୍ଗଳବାର ବିଦାବନ୍ଧ ଗ୍ରାମର ବୈଷ୍ଣବ ରାଉତ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜିଲା ଦୌରାଜଜ୍‌ ମଳୟ ରଞ୍ଜନ ଦାସ ଅଭିଯୁକ୍ତ ଦେବନ ପ୍ରଧାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୮ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ହଜାର ଟଙ୍କା ଜରିମାନା ଏବଂ ଅନାଦାୟେ ଅଧିକ ବର୍ଷେ ଜେଲ୍‌ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଗଣେଶ କୁମାର ବେହେରା ମାମଲା ପରିଚାଳନା କରିଥିଲେ।
୨୦୧୫ ଏପ୍ରିଲ ୯ରେ ବୈଷ୍ଣବ ନିଜ ଆମ୍ବ ତୋଟାରେ କୁଡ଼ିଆ କରି ଜଗିଥିଲେ। ଏହି ସମୟରେ ହଳଦୀବାଡ଼ି ଗ୍ରାମର ଦେବନ ନିଶାସକ୍ତ ଅବସ୍ଥାରେ ଆସି ପାଟିତୁଣ୍ଡ କରିଥିଲେ। ଘଟଣା ଧୀରେ ଧୀରେ ଉଗ୍ରରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଦେବନ ଏକ କୁରାଢ଼ିରେ ବୈଷ୍ଣବଙ୍କୁ ହାଣି ପକାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗ୍ରାମବାସୀ ଅଭିଯୁକ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ବୈଷ୍ଣବଙ୍କ ଭାଇ ଶ୍ରୀନିବାସଙ୍କ ଅଭିଯୋଗକୁ ଭିତ୍ତିକରି ସଦର ଥାନାରେ ନଂ. ୧୩୮/୧୫, ଦଫା ୩୦୨ରେ ମାମଲା ରୁଜୁ ହୋଇଥିଲା। ୧୪ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share