ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଯାପିତ: ପର୍ଯ୍ୟଟନ କ୍ଷେତ୍ର ଚିଲିକାର ବିକାଶ ନିତାନ୍ତ ଆବଶ୍ୟକ

ବାଲୁଗାଁ,୧୪ା୧୧(ଡି.ଏନ.ଏ.): ନିଳାମ୍ବୁ ଚିିଲିକା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସମ୍ପ୍ରତି ଚିଲିକାର ପୃଷ୍ଠଭୂମି ଅବକ୍ଷୟ ଦିଗକୁ ଗତି କରୁଥବା ବେଳେ ଏହାର ବିକାଶ ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ଏ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯିବ। ଚିଲିକାର ବିକାଶ ହୋଇପାରିଲେ ଏହା ଉପରେ ନିର୍ଭର କରୁଥିବା ଜନସାଧାରଣ ଉପକୃତ ହୋଇପାରିବେ। ବୁଧବାର ଚିଲିକା ବୋଇତ ବନ୍ଦାଣ ମହୋତ୍ସବର ଉଦ୍‌ଯାପନୀ ସଭାରେ ଅତିଥିମାନେ ଏହି ମତ ଦେଇଥିଲେ।
ମହୋତ୍ସବ କମିଟି ସଭାପତି ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସଭାପତିତ୍ୱରେ ସନ୍ଧ୍ୟାରେ ଉଦ୍‌ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ଉପବାଚସ୍ପତି ରଜନୀକାନ୍ତ ସିଂହ ଉଦ୍‌ଘାଟକ ଓ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଡ଼ିଶା ହାଉସିଂ ବୋର୍ଡ଼ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ମୁନା ଖାନ, ପ୍ରାଧ୍ୟାପକ ଶଶାଙ୍କ ଶେଖର ଚୁଡ଼ାମଣି, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ରନାଥ ମାନସିଂହ, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ, ରଜ କୁଇନ୍‌ ବିଜୟିନୀ ଲତିକା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚିଲିକାର ଐତିହ୍ୟ, ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ଡ. କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଦିନତମାମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ଚାଲିଥିଲା।

Share