ବୋଡେନ ପଞ୍ଚାୟତ ସମିତି ବୈଠକ: ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା

ବୋଡେନ,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା ବୋଡେନ ବ୍ଲକ ପଞ୍ଚାୟତ ସମିତି ସଭାଗୃହଠାରେ ଷଷ୍ଠ ସମିତି ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧକ୍ଷା ପ୍ରେମଶିଳା ନାଗଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ବୋଡେନ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ ସଭା ପରିଚାଳନା କରିଥିଲେ। ନୂଆପଡା ଜିଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା ଜିଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ବ୍ଲକ ଉପାଧକ୍ଷ କୃଷ୍ଣସିଂ ମାଝି, ଏମପି ପ୍ରତିନିଧି ଅତିନ୍ଦ୍ର ଜିତ ସିଂ, ଜିଲା ପରିଷଦ ସଭ୍ୟା ବାସନ୍ତି ମାଝି ପ୍ରମୁଖ ଯୋଗଦେଇଥିଲେ। ବୈଠକରେ କୃଷି, ଶିକ୍ଷା, ମଙ୍ଗଳ ସମ୍ପ୍ରସାରଣ ବିଭାଗ, ପାନୀୟ ଜଳ ବିଭାଗ, ସମାଜ କଲ୍ୟାଣ ବିଭାଗ, ପ୍ରାଣି ଚିକିତ୍ସା ବିଭାଗ, ଉଦ୍ୟାନ ବିଭାଗ, ଉନ୍ନୟନ ବିଭାଗ ସମସ୍ତ ଅଧିକାରୀମାନେ ନିଜ ବିଭାଗ କାର୍ଯ୍ୟ ଉପରେ କହିଥିଲେ । ଚାଷୀମାନଙ୍କ ପାଇଁ କୃଷି ବିଭାଗ ତରଫରୁ ସବସିଡି ଆକାରରେ ଶୋଲାର ପମ୍ପ ଯୋଗେଇଦେବା ସହିତ ଚାଷୀମାନଙ୍କ ପାଇଁ ଯନ୍ତ୍ରପାତି ଯୋଗେଇ ଦେବା ପାଇଁ ଆଲୋଚନା କରିଥିଲେ। ବୋଡେନ ବ୍ଲକରେ ୧୫୨ ସ୍କୁଲ ମଧ୍ୟରୁ ୧୭ଟି ହାଇସ୍କୁଲ ଚାଲିଥିବା ବେଳେ ସେଥିରୁ ୨୨ଟି ବିଜ୍ଞାନ ଶିକ୍ଷକ ଖାଲିପଡିଛି ବୋଲି ଗୋଷ୍ଠି ଶିକ୍ଷା ଅଧିକାରୀ ଇନ୍ଦ୍ରମଣି ପାଣିଗ୍ରାହି ପ୍ରକାଶ କରିଥିଲେ। ଉକ୍ତ ଶିକ୍ଷକ ପଦବୀ ଏକ ମାସ ମଧ୍ୟରେ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସ୍ବସ୍ଥ୍ୟ ବିଭାଗ ଅଧିକାରୀ, ବନ ବିଭାଗ ଅଧିକାରୀ ଏବଂ ଶିଶୁ ବିକାଶ ଅଧିକାରୀମାନେ ବୈଠକରେ ଅନୁପସ୍ଥିତ ଥିବା ଯୋଗୁ ଜିଲା ପ୍ରସାଶନକୁ ଜଣାଇବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ବୈଠକରେ ପ୍ରତେକ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟାସଭ୍ୟ ତଥା ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିଲେ। ବିଡିଓ ଭୋଇ ଧନ୍ୟବାଦ ଦେଇଥିଲେ।