Categories: ଜାତୀୟ

ବୋଡୋ ଚୁକ୍ତିନାମା ସ୍ବାକ୍ଷର

ନୂଆଦିଲ୍ଲୀ,୨୮ା୧(ପି.ଟି.): ବୋଡୋ ସମସ୍ୟାର ସମାଧାନ ଲାଗି ସରକାର ସୋମବାର ଆସାମର ଦୁଇ ଉଗ୍ରପନ୍ଥୀ ସଂଗଠନ ନ୍ୟାଶନାଲ ଡେମୋକ୍ରାଟିକ୍‌ ଫ୍ରଣ୍ଟ୍‌ ଅଫ୍‌ ବୋଡୋଲ୍ୟାଣ୍ଡ (ଏନ୍‌ଡିଏଫ୍‌ବି) ଏବଂ ଅଲ୍‌ ବୋଡୋ ଷ୍ଟୁଡେଣ୍ଟସ୍‌ ୟୁନିୟନ (ଏବିଏସ୍‌ୟୁ) ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ବୋଡୋଲ୍ୟାଣ୍ଡ ରାଜ୍ୟ ଗଠନ ଆନ୍ଦୋଳନର ନେତୃତ୍ୱ ନେଉଥିଲା ଏବିଏସ୍‌ୟୁ। ଏହି ତ୍ରିପାକ୍ଷିକ ଚୁକ୍ତିନାମାରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, ଏନ୍‌ଡିଏଫ୍‌ବି ଏବଂ ଏବିଏସ୍‌ୟୁର ଶୀର୍ଷ ନେତୃତ୍ୱ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ସତ୍ୟେନ୍ଦ୍ର ଗର୍ଗ ଏବଂ ଆସାମର ମୁଖ୍ୟ ଶାସନ ସଚିବ କୁମାର ସଞ୍ଜୟ କ୍ରିଷ୍ଣା ସ୍ବାକ୍ଷର କରିଛନ୍ତି। ଏହି ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଉପସ୍ଥିତ ଥିଲେ। ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହା ଶାନ୍ତି, ସଦ୍‌ଭାବନା ଓ ଭାଇଚାରାର ନୂଆ ସକାଳ ଆଣିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚୁକ୍ତିନାମା ଅନୁଯାୟୀ ବୋଡୋ ସଂଗଠନକୁ ବିଭିନ୍ନ ରାଜନୈତିକ ଓ ଆର୍ଥତ୍କ ସହାୟତା ଯୋଗାଇଦିଆଯିବ। ଚୁକ୍ତି ଅନୁଯାୟୀ ପୂର୍ବରୁ ଯେଉଁମାନେ ସଶସ୍ତ୍ର ଉଗ୍ରବାଦୀ ସଂଗଠନରେ ସାମିଲ ଥିଲେ, ସେମାନେ ଏବେ ମୁଖ୍ୟସ୍ରୋତରେ ସାମିଲ ହେବେ ଓ ରାଷ୍ଟ୍ରର ବିକାଶରେ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share