ବୋନସ ଦାବିରେ ଟାଟା ଖଣିକୁ ଘେରିଲେ ଶ୍ରମିକ: ସ୍ଥିତି ନିୟନ୍ତ୍ରଣ କଲା ପୋଲିସ

ଯୋଡ଼ା ୨୭।୯ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ବିଛାକୁଣ୍ଡି ଠାରେ ଟାଟା କମ୍ପାନୀର ମାଙ୍ଗାନିଜ ଖଣିକୁ ଶତାଧିକ ଶ୍ରମିକ ବୋନସ ଦାବିରେ ଘେରାଉ କରିଛନ୍ତି। ଏହା ସହିତ ଟାଟା କମ୍ପାନୀ ଦ୍ୱାରା ନିଯୁକ୍ତ ଠିକାସଂସ୍ଥା ଶ୍ରମିକମାନଙ୍କୁ ଶୋଷଣ କରୁଛି ବୋଲି ସେମାନେ ଖବରଦାତାଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରୁ ଜଣାପଡିଛି ଯେ, ଶୁକ୍ରବାର ଅପରାହ୍ନରେ ବୋନସ ଦାବି କରି ପ୍ରାୟ ୮ଶହରୁ ଊର୍ଦ୍ଧ୍ୱ ଶ୍ରମିକ ଟାଟା କମ୍ପାନୀର ବିଛାକୁଣ୍ଡିସ୍ଥିତ ଖଣି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଟାଟା କମ୍ପାନୀ ଦ୍ୱାରା ନିଯୁକ୍ତ ଖଣି ଠିକାଦାର ସଂସ୍ଥା କରୋନେଶନ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍‌ ଟାଟା ଖଣିରେ କାର୍ଯ୍ୟ କରୁଥିବା ଖଣି ଶ୍ରମିକ ମାନଙ୍କୁ ଶତକଡା ୮.୩୩ ବୋନସ ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏଥିରେ ଶ୍ରମିକମାନେ ଆପତ୍ତି ଏବଂ ଅଭିଯୋଗ କରିଥିଲେ। ଠିକାସଂସ୍ଥା କିନ୍ତୁ ଏହି ଆପତ୍ତି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା । ଫଳରେ ଶ୍ରମିକ ଅଶାନ୍ତି ଉଗ୍ରରୂପ ଧାରଣ କରିଥିଲା। ପରିସ୍ଥିତି ଅଣାୟାତ୍ତ ହେବାରୁ ଯୋଡା ପୋଲିସ ଆଇଆଇସି ବିଜୟକୃଷ୍ଣ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଖଣିରେ କାର୍ଯ୍ୟ କରୁଥିବା ମହିଳା ଶ୍ରମିକ ଲକ୍ଷ୍ମୀ ଓରାମ, ନନିତା ମୁଣ୍ଡା, ନିରୂପମା ପାତ୍ର, ମକର ଓରାମ୍‌, କୁଲିଆ ନାଏକ କହିଛନ୍ତି ଯେ, ଠିକା ମଜୁରିଆ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ କେନ୍ଦ୍ର ସରକାରଙ୍କର ଧାର୍ଯ୍ୟ ପାଉଣା ଦିଆଯାଉନାହିଁ। ନିକଟରେ ଥିବା ଅନ୍ୟ ଖଣି କମ୍ପାନୀ ଓ ଠିକାସଂସ୍ଥା ମାନେ ବୋନସ ପ୍ରାୟ ଶତକଡା ୨୪ ପ୍ରତିଶତ ଦେଉଥିବା ବେଳେ ବିଛାକୁଣ୍ଡିର ଏହି ଠିକାସଂସ୍ଥା ଶ୍ରମିକମାନଙ୍କୁ ବିଭିନ୍ନ ଆଳ ଦେଖାଇ ଠକି ଚାଲିଛି। ଅନ୍ୟପକ୍ଷରେ ଟାଟା କମ୍ପାନୀର କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଆଶିଷ କୁମାର ଆଚାର୍ଯ୍ୟଙ୍କୁ ପଚାରିବାରୁ କରୋନେସନ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍‌ ଠିକାସଂସ୍ଥାର ଶ୍ରମିକମାନେ ଶତକଡା ୨୦ ରୁ ୨୫ ପ୍ରତିଶତ ବୋନସ ଦାବି କରି ବିକ୍ଷୋଭ କରିଥିଲେ । ହେଲେ ସରକାରଙ୍କର ବୈଧାନିକ ନିୟମ ଅନୁଯାୟୀ ଠିକାସଂସ୍ଥା ଶତକଡା ୮.୩୩ ପ୍ରତିଶତ ବୋନସ ପୈଠ କରିବାର ନିଷ୍ପତ୍ତି ନେଇଛି। ବଜାର ମାନ୍ଦା ଥିବାରୁ ଏହାର ପ୍ରଭାବ ଖଣି କ୍ଷେତ୍ରରେ ପଡିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Share