ବୋନସ ପ୍ରଦାନକୁ ନେଇ ଶ୍ରମିକ ସଂଘର ଧାରଣା ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

କାଳିଆପାଣି,୨୫ା୧୦(ଡି.ଏନ୍‌.ଏ.): ସୁକିନ୍ଦା ଖଣି ଅଞ୍ଚଳରେ କର୍ମଚାରୀଙ୍କ ବୋନସକୁ ନେଇ ଗୁରୁବାର ଶ୍ରମିକ ସଂଘ ପକ୍ଷରୁ ବାଲେଶ୍ୱର ଆଲଏଜ ଖଣି ଫାଟକ ସମ୍ମୁଖରେ ଧାରଣା ଦିଆଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ସକାଳେ ଶତାଧିକ କର୍ମଚାରୀ ଓ ଶ୍ରମିକ ଧାରଣାରେ ବସିଥିଲେ। ଖବର ପାଇ ଖଣି ଜିଏମ୍‌ ତାରଣୀ ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ଆଲୋଚନା ପାଇଁ କହିଥିଲେ। ପରେ ଶ୍ରମିକ ସଂଘ ସାଧାରଣ ସମ୍ପାଦକ ନାରାୟଣଚନ୍ଦ୍ର ଧୀରଙ୍କ ସହ ଉପସ୍ଥିତ ଥିବା ସଂଘ କର୍ମଚାରୀଙ୍କୁ ନେଇ ଖଣି କାର୍ଯ୍ୟାଳୟରେ ଏକ ବୈଠକ ହୋଇଥିଲା । ବୈଠକରେ ଶୁକ୍ରବାର କମ୍ପାନୀ ପକ୍ଷରୁ ୧୦ ପ୍ରତିଶତ ବୋନସ ପ୍ରଦାନ କରାଯିବା ନେଇ ସମ୍ମତି ପ୍ରକାଶ ପାଇଛି। ଏଥିସହ ୨ ମାସ ମଧ୍ୟରେ ଅବଶିଷ୍ଟ ୧୦ ପ୍ରତିଶତକୁ ୫ ପ୍ରତିଶତ କରି ହିସାବରେ ପ୍ରଦାନ କରାଯିବା ନେଇ କମ୍ପାନୀ ପ୍ରତିଶ୍ରୁତି ଦେଇଛି। ସେହିପରି ଇମ୍ଫା କମ୍ପାନୀ ପକ୍ଷରୁ ମଧ୍ୟ କର୍ମଚାରୀ ସମସ୍ତ ବୋନସ ଦାବିକୁ ମାନି ନେଇଥିବା ଜଣାପଡିଛି। ଅପରପକ୍ଷେ ବିସି ମହାନ୍ତି ଓ ବିଜିଆର ପରି କମ୍ପାନୀ ପକ୍ଷରୁ ବୋନସ୍‌ ପ୍ରଦାନକୁ ନେଇ ଅଦ୍ୟାବଧି କୌଣସି ସମାଧାନ କରାଯାଇ ନ ଥିବାରୁ ସମ୍ପୃକ୍ତ କମ୍ପାନୀଗୁଡ଼ିକରେ ଅସନ୍ତୋଷର ବାତାବରଣ ଲାଗି ରହିଛି। ଆଲୋଚନାରେ ଶ୍ରମିକ ସଂଘ ସମ୍ପାଦକ ଧୀରଙ୍କ ସହ ଶାଖା ସଭାପତି ବଳରାମ ଦାସ, ସମ୍ପାଦକ ବିଶ୍ୱଜିତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।