Categories: କଟକ

ବୋମାମାଡ଼ ଘଟଣାରେ ୬ ଗିରଫ

କଟକ ଅଫିସ,୮ା୬: ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପରକୁ ବୋମାମାଡ଼ ଘଟଣାରେ ଜଗତପୁର ଥାନା ପୋଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ୟାକୁବ ଖାନ, ସେଖ୍‌ ୱାସିମ, ସେଖ୍‌ ଇମ୍ରାନ, ସେଖ ସାକିର, ରମେଶ ଭୋଇ ଓ ଶିବ ଭୋଇ। ୟାକୁବ ଓ ୱାସିମ ଉକ୍ତ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଜଗତପୁର ଥାନାଧିକାରୀ ପ୍ରଦୀପ୍ତ ନାୟକ କହିଛନ୍ତି। ଏମାନଙ୍କ ନିକଟରୁ ୫ଟି ବାଇକ, ୫ଟି ମୋବାଇଲ ଓ ଦୁଇଟି ଜୀବନ୍ତ ବୋମା ଜବତ କରାଯାଇଛି। ଗତ ୩୦ ତାରିଖରେ ଜଗତପୁର ଥାନା ଚମ୍ପତ୍ତି ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଳାସ ଚନ୍ଦ୍ର ବେହେରା ଓ ସମିତି ସଭ୍ୟ ଭୋଳାନାଥ ରାଉତଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ଏଥିରେ ସରପଞ୍ଚ ବିଳାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପୋଲିସର ଖୋଳତାଡ଼ ପରେ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତମାନେ ଏଭଳି ମରଣାନ୍ତକ କାଣ୍ଡ ଘଟାଇଥିବା ଜଣାପଡ଼ିଥିଲା। ଆଇପିସି ୩୦୭, ୪୨୭, ୩୪, ଏକ୍ସପ୍ଲୋଜିଭ ଆକ୍ଟ-୪, ୫ ଅନୁଯାୟୀ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।