ବୋମା ବିସ୍ଫୋରଣରେ ଜଣେ ଆହତ: ଯୁବକ ଗିରଫ

ବନ୍ତ,୧୩।୧୧ (ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅନ୍ତର୍ଗତ ଟିଲୋ ତାଳପଦା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ କେତେକ ଯୁବକଙ୍କ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଆହତ ହୋଇଥିବା ବ୍ୟକ୍ତିଙ୍କ ପୁଅ ମନୋଜ କୁମାର ନାୟକଙ୍କ ଅଭିଯୋଗ କ୍ରମେ ବନ୍ତ ଥାନା ପୋଲିସ ଏକ ମାମଲା (ନଂ.୧୪୨/୧୯) ରୁଜୁ କରି ତଦନ୍ତ ଚଳାଇଥିଲା। ବୁଧବାର ମଧ୍ୟାହ୍ନରେ ଏହି ଘଟଣାରେ ସମ୍ପୃକ୍ତ ଯୁବକ ଚିକିଟିରା ଗ୍ରାମର ପ୍ରକାଶ ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ମନୋଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ମଙ୍ଗଳବାର ରାତି ପ୍ରାୟ ୧୨ଟା ବେଳେ କେତେକ ଯୁବକ ତାଙ୍କ ଘର ସମ୍ମୁଖରେ ବୋମା ଫୁଟାଇଥିଲେ। ତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଥିଲେ। ସେମାନେ ପୁଣି ରାତି ପ୍ରାୟ ୨ଟା ବେଳେ ଆସି ଘର ଆଗରେ ବୋମା ଫୁଟାଇବାରୁ ତାଙ୍କ ବାପା ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ବନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Share