Advertisement

ବୋମା ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ: ରାଜନୈତିକ ଶତ୍ରୁତାରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଭଞ୍ଜନଗର,୧୯।୪(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଗଝୋଳରେ ବୁଧବାର ରାତିରେ ବୋମା ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ପ୍ରଧାନ (୨୬)। ରାଜନୈତିକ ଶତ୍ରୁତାରୁ ସଦାଶିବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭାଇ ହାଡ଼ୁ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏକ ହତ୍ୟା ମାମଲା (ନଂ.୧୨୬/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଛି।

ପ୍ରକାଶ ଯେ, ସଦାଶିବ ବୁଧବାର ରାତିରେ ଘରୁ କେଉଁଆଡ଼େ ଯାଇଥିଲେ। ରାତି ପ୍ରାୟ ୨ଟାରେ ଘର ନିକଟରେ ବିସ୍ଫୋରଣ ଶବ୍ଦ ହୋଇଥିଲା। ପରିବାର ଲୋକଙ୍କ ସହ ପଡ଼ୋଶୀ ବାହାରକୁ ଆସି ସଦାଶିବ ଗୁରୁତର ଆହତ ହୋଇ ଛଟପଟ ହେଉଥିବା ଦେଖିଥିଲେ। ତାଙ୍କୁ ତୁରନ୍ତ ଭଞ୍ଜନଗର ହସ୍ପିଟାଲକୁ ନିଆଯାଇଥିଲା। ଚିକିସତ୍ାଧୀନ ଅବସ୍ଥାରେ ସଦାଶିବଙ୍କର ମୃତ୍ୟୁ ଘଟିଥିଲା। ସଦାଶିବ ପୂର୍ବରୁ ଭାଜପା ପାଇଁ ନିର୍ବାଚନୀ ପ୍ରଚାର କରୁଥିଲେ। ପରେ ବିଜେଡି ନେତାଙ୍କ ଚାପରେ ପଡ଼ି ଭାଜପା ଛାଡ଼ି ବିଜେଡିର ପ୍ରଚାର କରିଥିଲେ ବୋଲି ତାଙ୍କ ଭାଇ ହାଡ଼ୁ କହିଛନ୍ତି। ବୁଧବାର ରାତିରେ ଗ୍ରାମର ୩ ଯୁବକ ଭାଇଙ୍କୁ ଘରୁ ଡାକି ନେଇଥିଲେ। ପରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ହାଡ଼ୁ ଏତଲାରେ ଦର୍ଶାଇଛନ୍ତି।  ଏ ନେଇ ଥାନା ଅଧିକାରୀ ସୁଦୀପ୍ତ ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବୋମାଟି ସଦାଙ୍କ ପକେଟରେ ଥିବା ବେଳେ ଫୁଟିଥିବା ଆଶଙ୍କା କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ । ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel