ଇଟାନଗର,୯।୭: ଅରୁଣାଚଳ ପ୍ରଦେଶ ବୋମ୍ଡିଲାରେ ମଙ୍ଗଳବାର ବାଦଲ ଫଟା ବର୍ଷା ହୋଇଛି। ଏହା ଯୋଗୁ ପଶ୍ଚିମ କାମେଙ୍ଗ୍ ଜିଲାର ନାଗ-ମନ୍ଦିର ଟେଙ୍ଗା ନିକଟରେ ଥିବା କାସ୍ପି କେନାଲରେ ବନ୍ୟା ଆସିଛି। ଫଳରେ ୮ ଶହରୁ ଅଧିକ ଲୋକ ଜଳବନ୍ଦୀ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ବନ୍ୟା ଜଳରେ ଭାସି ଯାଇ ବହୁ ଲୋକ ନିଖୋଜ ହୋଇଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜଳବନ୍ଦୀ ଥିବା ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କାର୍ଯ୍ୟ ଜାରି ରହିବା ସହିତ ରିଲିଫ୍ ପ୍ରଦାନ କରାଯାଉଥିବା ପ୍ରଶାସନ କହିଛି।