କୋଲକାତା,୨୫।୧୨- ଆନ୍ଧ୍ରପ୍ରଦେଶ ବିପକ୍ଷ ରଣ୍ଜୀ ମ୍ୟାଚ୍ ପୂର୍ବରୁ ପଶ୍ଚିମବଙ୍ଗ ଦଳରୁ ବାଦ୍ ପଡ଼ିଛନ୍ତି ସିନିୟର ପେସର ଅଶୋକ ଦିଣ୍ଡା। ଦଳର ବୋଲିଂ କୋଚ୍ଙ୍କୁ ଗାଳି କରିବାରୁ କ୍ରିକେଟ ଆସୋସିଏଶନ ଏହି ନିଷ୍ପତ୍ତି ନେଇଛି। ଦିଣ୍ଡା ଦଳୀୟ ବୋଲିଂ କୋଚ୍ ରାଣାଦେବ ବୋଷଙ୍କୁ ଅସମ୍ମାନିତ କରିଛନ୍ତି। ଏଣୁ ଦିଣ୍ଡାଙ୍କୁ କ୍ଷମା ମାଗିବା ପାଇଁ ଅନୁରୋଧ କରିଥିଲେ ସିଏବି ସମ୍ପାଦକ। କିନ୍ତୁ ସେ ମନା କରି ଦେଇଥିଲେ ବୋଲି ବେଙ୍ଗଲ କୋଚ୍ ଅରୁନ ଲାଲ କହିଛନ୍ତି। ଏହା ଦୁର୍ଭାଗ୍ୟଜନକ। ଏହା ଘଟିବାର ନ ଥିଲା। ତାଙ୍କ ଭଳି ସିନିୟର ଖେଳାଳିଙ୍କୁ ଆମେ ଦଳରେ ଚାହୁଁ। ପିଚ୍ରେ ଘାସ ଥିବାରୁ ଆମ ଯୋଜନାରେ ସେ ସାମିଲ ଥିଲେ। ମାତ୍ର ସିଏବିର ନିଷ୍ପତ୍ତିକୁ ମୁଁ ସମର୍ଥନ କରୁଛି ବୋଲି ସେ କହିଛନ୍ତି। ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିସାରିଥିବା ଦିଣ୍ଡା ୧୧୬ ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ୪୨୦ ଉଇକେଟ ନେଇଛନ୍ତି। ଡ୍ରେସିଂ ରୁମ୍ରେ ବୋଷ ଦଳୀୟ ଅଧିନାୟକ ଅଭିମନ୍ୟୁ ଈଶ୍ୱରନଙ୍କ ସହ ବ୍ୟକ୍ତିଗତ ଆଲୋଚନା କରୁଥିବାବେଳେ ଏହି ଘଟଣା ଘଟିଥିଲା।