ବୋଲେରୋ ଚଢ଼ିଯିବାରୁ ଏକ ପରିବାରର ୩ଜଣଙ୍କ ମୃତ୍ୟୁ ଘଟଣା : ଯୋଡାରେ ଉତ୍ତେଜନା, ପରିବାରକୁ କ୍ଷତିପୂରଣ ଦାବି

ଯୋଡ଼ା, ୨୯।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଗଣେଶ ଭବନ ଠାରେ ବୋଲେରୋ ଚଢ଼ିଯିବାରୁ ଏକ ପରିବାରର ୩ଜଣଙ୍କ ମୃତ୍ୟୁ ପରେ ପରିବାରକୁ ଆର୍ଥିକ କ୍ଷତି ପୂରଣ ଦାବି କରି ମଙ୍ଗଳବାର ଯୋଡାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଏହାର ପ୍ରତିବାଦ କରି ଲାଓପ୍ୟାଲେସଠାରେ ଓ ଗଣେଷ ଭବନ ରାସ୍ତାରେ ନିଆଁଜାଳି ରାସ୍ତା ଅବରୋଧ କରିଥିଲେ । ମୃତକ ଦୁଲୁନ ଲୋହାର(୩୫), ତାଙ୍କ ପୁଅ ମୁନୁ ଲୋହାର(୩) ଓ ତାଙ୍କ ଝିଅ ପ୍ରୀୟା ଲୋହାର(୫)ଙ୍କ ମୃତ୍ୟୁର କ୍ଷତିପୂରଣ ଦାବି କରି ମଙ୍ଗଳବାର ସକାଳ ସାଢ଼େ ୯ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ରାସ୍ତା ଅବରୋଧ ହୋଇଥିଲା  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ଏହି ରାସ୍ତା ଅବରୋଧ ଉଠିଥିଲା । ଏହାପରେ ମୃତ ଦୁଲନ ଲୋହାରଙ୍କ ସ୍ତ୍ରୀ ସବିତା ଲୋହାର, ବୁଦ୍ଧିଜୀବି,ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ, ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରାଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ କ୍ଷତି ପୂରଣ ପ୍ରଦାନ ନେଇ ଏକ ଆଲୋଚନା ହୋଇଥିଲା। ବଡବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ମୃତ ଦୁଲୁନଙ୍କ ସ୍ତ୍ରୀ ସବିତାଙ୍କୁ ଭତ୍ତା ଓ ତାଙ୍କ ଝିଅର ପାଠପଢ଼ା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସବିତାଙ୍କୁ କୌଣସି ଏକ କମ୍ପାନୀରେ ନିଯୁକ୍ତି ଦେବାପାଇଁ ଯୋଡା ଥାନା ଆଇଆଇସି ମୁର୍ମୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସହିତ ବିଭିନ୍ନ ବେସରକାରୀ ସଂସ୍ଥା ପକ୍ଷରୁ ସବିତାଙ୍କ ପରିବାରଙ୍କୁ ୫୫ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ସୋମବାର ସନ୍ଧ୍ୟା ୫ ଟା ସମୟରେ ଯୋଡାରେ ରହୁଥିବା ଇରଫାନ୍‌ ଖାନ୍‌ ନାମକ ଯୁବକ ଏକ ବୋଲେରୋ (ନଂ ଓଆର୦୨ଏଏନ୍‌ ୫୦୮୬) ଗାଡିକୁ ଲୁଟ କରି ଖୁବ ଦ୍ରୁତଗତିରେ ଚଳାଇ ନେଇ ଫେରାର ହୋଇଯାଉଥିବା ସମୟରେ ଗଣେଷ ଭବନ ରାସ୍ତାରେ ଦୁର୍ଘଟଣା ଘଟାଇଥିଲା। ଏଥିରେ ସ୍ଥାନୀୟ ହଟିଂରେ ଘର ସମ୍ମୁଖରେ ଠିଆ ହୋଇଥିବା ବାପ, ପୁଅ ଓ ଝିଅଙ୍କ ଉପରେ ବୋଲେରୋ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ବଲେରୋ ଚଳାଉଥିବା ଇରଫାନ୍‌ ଖାନ୍‌ ମଧ୍ୟ ଆହତ ହୋଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରି ଯୋଡା ଥାନାରେ ଏକ ମାମଲା (ନଂ.୧୮୫/୨୦୧୯) ରୁଜୁ କରିଛି। ଯୋଡା ଥାନାରେ ଉକ୍ତ ଗାଡିର ଡ୍ରାଇଭର ପ୍ରଦୀପ ଧଳ ଲିଖିତ ଏତଲା ଦେବାପରେ ପୋଲିସ ଉକ୍ତ ବୋଲେରୋକୁ ଜବତ କରିବା ସହିତ ଦୁର୍ବୃତ୍ତଙ୍କ ଠାରୁ ଏକ ଭୁଜାଲି ଜବତ କରିଛିି ା ତେବେ ଅଭିଯୁକ୍ତ ଇରଫାନ ଖାଁଙ୍କ ନାମରେ ପୂର୍ବରୁ ଏକ ବଳାତ୍କାର ଅଭିଯୋଗ, ୩ଟି ଭୁଜାଲି ମାଡ,୧ଟି ଚୋରି, ଓ ୧ଟି ଚୋରାମଦ କାରବାର ମାମଲା ରହିଥିବା ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ କହିଛନ୍ତି।

Share