ବୋଲେରୋ ଧକ୍କାରେ ମହିଳାଙ୍କ ଜୀବନ ଗଲା

ବାଲିଆପାଳ, ୨୫।୧(ସ୍ବ.ପ୍ର.)-ବାଲିଆପାଳ ବ୍ଲକ ବଉଳକୁଞ୍ଜ ପଡ଼ିଆଠାରେ ଅପକିରି ସାମନ୍ତରାୟ ନାମ୍ନୀ ମହିଳାଙ୍କୁ ବୋଲେରୋ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ଘର ପ୍ରତାପୁର ଗ୍ରାମରେ। ଧକ୍କା ଦେଇଥିବା ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଗାଡ଼ିକୁ ଜବତ କରିଛନ୍ତି। ତାଙ୍କ ବିରୋଧରେ ଏକ ମାମଲା (ନଂ. ୨୯/୨୦୨୦) ରୁଜୁ ହୋଇଛି।
ଶଶଧର ସାମନ୍ତରାୟଙ୍କ ସ୍ତ୍ରୀ ଅପକିରି ପ୍ରତ୍ୟେକ ଦିନ ପରି ଶନିବାର ସକାଳେ ନିଜ ଘରୁ ରାଉତୁଡ଼ା ଆଡ଼କୁ ପ୍ରାତଃ ଭ୍ରମଣରେ ଯାଉଥିଲେ। ସେ ପ୍ରାତଃଭ୍ରମଣ ସାରି ଘରକୁ ଫେରୁଥିବା ବେଳେ ବଉଳକୁଞ୍ଜ ପଡ଼ିଆଠାରେ ପଛରୁ ଏକ ବୋଲେରୋ (ନଂ. ଓଡ଼ି୦୧ଇ-୮୩୩୨) ତାଙ୍କୁ ଧକ୍କା ଦେଇଥିଲା। ଡ୍ରାଇଭର ଅତି ଚତୁରତାର ସହିତ ସେଠାରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଚିକିତ୍ସା ପାଇଁ ବାଲିଆପାଳ ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କ ମୃତ ଷୋଷଣା କରିଥିଲେ। ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଳା ପ୍ରସାଦ ମୁଦୁଲି ବୋଲେରୋକୁ ଜବତ କରିବା ସହିତ ଡାକ୍ତରଖାନାରେ ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଇବା ପାଇଁ ବ୍ୟବସ୍ଥା କରିଥିଲେ।