ବୋଲେରୋ ଲୁଟି ନେବାବେଳେ ଦୁର୍ଘଟଣା: ପଥଚାରୀ ବାପା, ଝିଅ, ପୁଅଙ୍କ ଜୀବନ ଗଲା

ଯୋଡା, ୨୮।୧୦(ଡି.ଏନ.ଏ.)-ଏକ ବୋଲେରୋ ଲୁଟ୍‌ କରି ଫେରାର ହୋଇଯିବା ବେଳେ ଚାଳକ ଭାରସାମ୍ୟ ହରାଇବାରୁ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ଏହା ମାଡ଼ି ଯାଇଥିଲା। ଫଳରେ ଗୋଟିଏ ପରିବାରର ବାପ, ଝିଅ, ପୁଅ ବୋଲେରୋ ଚକା ତଳେ ଚାପି ହୋଇ ପ୍ରାଣ ହରାଇଛନ୍ତି। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ସୋମବାର ସନ୍ଧ୍ୟା ସାଢେ ୫ଟାରେ
ମାଡ୍ରାସ ହଟିଂ ଠାରେ ଘଟିଛି। ଏହାକୁ କେନ୍ଦ୍ର କରି ଚାପା ଉତ୍ତେଜନା ଦେଖାଦେଇଥିଲା।
କେନ୍ଦୁଝର ଜିଲା ଯୋଡା ସହରର ଗଣେଶ ଭବନଠାରେ ୨ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାସ୍ଥଳରୁ ଜଣାପଡିଛି ଯେ, ସୋମବାର ଯୋଡା ସହରର ଫେରୋ ମାଙ୍ଗାନିଜ୍‌ ପ୍ଲାଣ୍ଟ ନିକଟରୁ ଏକ ବୋଲେରୋ (ନଂ ଓଆର୦୨ ଏଏନ୍‌ ୫୦୮୬ ଲୁଟ୍‌ କରି ଫେରାର ହୋଇଯାଉଥିବା ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଗଣେଶ ଭବନ ନିକଟ ରାସ୍ତା ପାର୍ଶ୍ୱରେ ଯାଉଥିବା ଦୁଲୁନ ଲୋହାର (୩୫) ଓ ତାଙ୍କ ୩ ବର୍ଷର ପୁଅ ମୁନୁ ଲୋହାର, ୫ବର୍ଷର ଝିଅ ପ୍ରିୟା ଉପରେ ଅନିୟନ୍ତ୍ରିତ ହୋଇ ବୋଲେରୋଟି ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଲୁନ ଲୋହାରଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣଙ୍କୁ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ, ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣା ଘଟାଇଥିବା ତଥା ଲୁଟ୍‌ କରି ବେଲେରୋ ନେଇ ଫେରାର ହୋଇଯାଉଥିବା ଡ୍ରାଇଭର ଯୋଡା ଅଞ୍ଚଳର ଗୁଲୁଆ ଖାନ୍‌ ବୋଲି ଜଣାପଡିଛି । ସେ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି।