ବୋଲ ବମ୍‌ ଧ୍ୱନିରେ କମ୍ପିଲା ପଞ୍ଚଲିଙ୍ଗେଶ୍ୱର ପୀଠ

ସଜନାଗଡ଼,୨୨।୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାର ଉତ୍ତରଓଡ଼ିଶାର ଅନ୍ୟତମ ଶୈବପୀଠ ନୀଳଗିରିସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ କାଉଡ଼ିଆମାନେ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର କାଉଡ଼ିଆଙ୍କ ‘ବୋଲବମ୍‌, ହରହର ବମ୍‌ ଧ୍ୱନି’ରେ ଶୈବପୀଠ କମ୍ପିଥିଲା। ବାଲେଶ୍ୱର ନିକଟସ୍ଥ ବୁଢ଼ାବଳଙ୍ଗ ନଦୀର ବାଲିଘାଟ, ମୟୂରଭଞ୍ଜ ଜିଲା କପ୍ତିପଦାର ସୋନନଦୀ, ନୀଳଗିରି କାଠପାଳ ଆଦି ଅଞ୍ଚଳରେ ଥିବା ଚିରସ୍ରୋତା ନଦୀରୁ କାଉଡ଼ିଆମାନେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଜଳଭାର ଧରି ଦୀର୍ଘ ୩୦/୩୫ କି.ମି. ରାସ୍ତା ପାଦରେ ଚାଲି ଚାଲି ଆସିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଶୈବଭକ୍ତ ଜଳାଭିଷେକ ନିମନ୍ତେ ଏଠାକୁ ଆସୁଥିବା ଦେଖିବାକୁ ମିଳିଛି। ଭକ୍ତଙ୍କ ସୁରକ୍ଷା ପାଇଁ ପଞ୍ଚଲିଙ୍ଗେଶ୍ୱରରେ କାଉଡ଼ିଆ ତଥା ଶ୍ରଦ୍ଧାଳୁଙ୍କ ପାଇଁ ମହାଦେବ ପୀଠରୁ ମୁଖ୍ୟରାସ୍ତା ପର୍ଯ୍ୟନ୍ତ ସୁନ୍ଦର ଆଲୋକରେ ସଜାଯାଇଛି। ସ୍ଥାନୀୟ ଟ୍ରଷ୍ଟ ବୋର୍ଡ଼ ସହଯୋଗ ଓ ସୁରକ୍ଷା ଦୃଷ୍ଟିରୁ ପୋଲିସ୍‌ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସହ ଫୋର୍ସ ମୁତୟନ କରାଯାଇଥିଲା।