ବୋହୂଙ୍କ ଖୁସି ପାଇଁ ଏହି ମନ୍ଦିରକୁ ଶାଶୂ କରିଥିଲେ ନିର୍ମାଣ…

ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ରହିଛି ଶାଶୂ-ବୋହୂ ମନ୍ଦିର। ଏହାର ଆକାର ପିରାମିଡ୍‌ ସଦୃଶ। ଏହାର ଲମ୍ବ ୩୨ ମିଟର ହୋଇଥିବାବେଳେ ଓସାର ୨୨ ମିଟର। ଶାଶୂ-ବୋହୂ ଦୁଇଟିଯାକ ମନ୍ଦିରର ଗଠନଶୈଳୀ ଓ କାରୁକାର୍ଯ୍ୟ ମଧ୍ୟ ସମାନ। ଇଚ୍ଛାବାହା ବଂଶର ରାଜା ମହିପାଳଙ୍କ ଦ୍ୱାରା ୧୦୯୨ ଖ୍ରୀଷ୍ଟାଦ୍ଦରେ ଏହାର ନିର୍ମାଣ କରାଯାଇଥିଲା। ରାଣୀଙ୍କ ଇଚ୍ଛାନୁସାରେ, ରାଜା ଏଠାରେ ଏକ ବିଷ୍ଣୁମନ୍ଦିର ନିର୍ମାଣ କରିଥିଲେ, ଯାହାର ନାମ ‘ସହସ୍ର ବାହୁ’ ରଖାଗଲା। କିଛିବର୍ଷ ପରେ ରାଣୀଙ୍କ ପୁତ୍ରଙ୍କର ବିବାହ ହେଲା। ପୁତ୍ରବଧୂ ଭଗବାନ ଶିବଙ୍କ ପରମଭକ୍ତ ଥିଲେ। ପୁତ୍ରବଧୂଙ୍କ ଖୁସିପାଇଁ ରାଣୀ ବିଷ୍ଣୁମନ୍ଦିର ନିକଟରେ ଶିବ ମନ୍ଦିରଟିଏ ତୋଳାଇଲେ। ଏହାଦେଖି ପୁତ୍ରବଧୂ ବେଶ୍‌ ଖୁସି ହୋଇଥିଲେ। ଶାଶୂ-ବୋହୂଙ୍କ ମଧ୍ୟରେ ଥିବା ସ୍ନେହ ଓ ଭଲପାଇବା ଦେଖି ‘ସହସ୍ର ବାହୁ’ ମନ୍ଦିରର ନାମ ପରେ ପରିବର୍ତ୍ତନ କରାଯାଇଥିଲା। ପରବର୍ତ୍ତୀ କାଳରେ ଲୋକମୁଖରେ ମନ୍ଦିରଟି ‘ଶାଶୂ-ବୋହୂ’ ମନ୍ଦିର ଭାବେ ପରିଚିତ ହେଲା। କିମ୍ବଦନ୍ତୀ ଅନୁସାରେ ମନ୍ଦିରର ପ୍ରଥମ ନାମ ଥିଲା ‘ସହସ୍ର ବାହୁ’। କାଳକ୍ରମେ ସହସ୍ର ବାହୁର ଅପଭ୍ରଂଶ ହୋଇ ‘ଶାଶୁ-ବୋହୂ’ ନାମରେ ମନ୍ଦିରଟି ପ୍ରସିଦ୍ଧି ଲାଭକରିଛି।

Share