ବ୍ରହ୍ମପୁରରେ ଆଦର୍ଶ ବିବାହ: ଦୃଷ୍ଟିହୀନ ସୌମ୍ୟାଙ୍କ ହାତଧରିଲେ ମଦନ

ବ୍ରହ୍ମପୁର ଅଫିସ,୮।୧୨: ସାଧାରଣତଃ ଦୃଷ୍ଟିହୀନ ଝିଅମାନଙ୍କ ବିବାହରେ ଅନେକ ପ୍ରତିବନ୍ଧକ ଦେଖାଦେଇଥାଏ। ହେଲେ ଗଞ୍ଜାମରେ ଏହାର ବ୍ୟତିକ୍ରମ ସ୍ବରୂପ ଦୃଷ୍ଟିହୀନ ସୌମ୍ୟାଙ୍କ ହାତ ଧରିଛନ୍ତି ଆନ୍ଧ୍ରପ୍ରଦେଶର ମଦନ ମୋହନ। ରବିବାର ବ୍ରହ୍ମପୁରର ଏକ କଲ୍ୟାଣ ମଣ୍ଡପରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଛି । ଏହି ଆଦର୍ଶ ବିବାହକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ଜିଲାର ବ୍ରହ୍ମପୁର ସହର ଗେଟ୍‌ବଜାର ରାଧାକ୍ରିଷ୍ଣ ସାହିର ଜି.ଏଲ୍‌.ଏନ୍‌ ସ୍ବାମୀ ଶେଖରଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅ। ସାନ ଝିଅ ସୌମ୍ୟା ଜନ୍ମରୁ ଦୃଷ୍ଟିହୀନ ନ ଥିଲେ। ୧୪ ବର୍ଷ ବୟସରେ ସେ ମସ୍ତିଷ୍କ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ରୋଗ ଭଲ ହୋଇଗଲା ସିନା ହେଲେ ଧୀରେ ଧୀରେ ସେ ଦୃଷ୍ଟିଶକ୍ତି ହରାଇବାରେ ଲାଗିଲେ। ଏକ ଘରୋଇ କମ୍ପାନୀରେ କାମ କରୁଥିବା ପିତା ଶେଖର ନିଜର ଆର୍ଥିକ କ୍ଷମତା ଅନୁଯାୟୀ ସୌମ୍ୟାଙ୍କ ଚିକିତ୍ସା କରାଇଥିଲେ । ହେଲେ ସୁଫଳ ମିଳି ନ ଥିଲା। ଶେଷରେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହୋଇଯାଇଥିଲେ ସୌମ୍ୟା। ଝିଅ ବଡ଼ ହେବା ସଙ୍ଗେ ଚିନ୍ତା ବଢ଼ୁଥିଲା ଶେଖରଙ୍କର। ପରିଣତ ବୟସରେ କିଏ ସାହା ହେବ, ଏହା ଭାବି ସେ ବେଶ୍‌ ଚିନ୍ତିତ ଥିଲେ। ଗତ କିଛି ମାସ ପୂବର୍ରୁ ଆନ୍ଧ୍ରପ୍ରଦେଶର ବିଜୟାନଗରମ୍‌ରେ ଜଣେ ସଂପର୍କୀୟ ଶେଖରଙ୍କୁ ମଦନଙ୍କ ସଂପର୍କରେ କହିଥିଲେ। ମଦନ ଆନ୍ଧ୍ରପ୍ରଦେଶର ତିରୁପତିର ଜି.ଭେଙ୍କଟ ସୀମାଦ୍ରିଙ୍କ ପୁଅ। ସେ ତିରୁମାଲା ମନ୍ଦିରର କ୍ୟାଣ୍ଟିନ୍‌ରେ କାମ କରନ୍ତି। ସଂପର୍କୀୟଙ୍କ ଜରିଆରେ ଶେଖର ଏବଂ ମଦନଙ୍କ ମା’ ସୀମାଦ୍ରି ବିବାହ ବିଷୟରେ କଥା ହୋଇଥିଲେ। ଏପରି କି ମଦନଙ୍କୁ ସୌମ୍ୟାଙ୍କ ଦୃଷ୍ଟିହୀନତା ସଂପର୍କରେ ଜଣାଇଥିଲେ। କିନ୍ତୁ ଏହାକୁ ଅତି ସକାରାମତ୍କ ଭାବେ ଗ୍ରହଣକରି ମଦନ ବିବାହ ପାଇଁ ରାଜି ହୋଇଯାଇଥିଲେ । ରବିବାର ବ୍ରହ୍ମପୁରର ଏକ କଲ୍ୟାଣ ମଣ୍ଡପରେ ଉଭୟଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଉଭୟ ପରିବାରର ବହୁ ବନ୍ଧୁବାନ୍ଧବ ଏହି ବିବାହରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ବିନା ଯୌତୁକରେ ଅନୁଷ୍ଠିତ ଏହି ବିବାହକୁ ସମସ୍ତେ ପ୍ରଶଂସା କରୁଛନ୍ତି ।