ବ୍ରହ୍ମପୁରରେ ବନ୍ଦ ରହିଲା ବ୍ୟାଙ୍କ

ବ୍ରହ୍ମପୁର ଅଫିସ୍‌,୨୨ା୧୦- ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରଠୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବ୍ୟାଙ୍କ କର୍ମଚାରୀଙ୍କର ବିଭିନ୍ନ ୟୁନିୟନ୍‌ ଏହି ନିଷ୍ପତ୍ତିକୁ ଦୃଢ଼ବିରୋଧ କରିବା ସହ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି। ଏହି ପ୍ରସଙ୍ଗକୁ ନେଇ ମଙ୍ଗଳବାର ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ(ଏଆଇବିଇଏ) ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ(ବିଇଏଫ୍‌ଆଇ) ତରଫରୁ ଦିନିକିଆ ଧର୍ମଘଟ ଡାକରା ଦିଆଯାଇଥିଲା। ଦେଶବ୍ୟାପୀ ଅନେକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ରହ୍ମପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଟାଟା ବେଞ୍ଜ ଛକ ସ୍ଥିତ ଆନ୍ଧ୍ରବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ବ୍ୟାଙ୍କ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣକୁ ବିରୋଧ ସହ କର୍ମଚାରୀ ମାରଣନୀତିକୁ ସମାଲୋଚନା କରିଥିଲେ। ଏଥିସହ ବ୍ୟାଙ୍କ ଶିଳ୍ପର ଘରୋଇକରଣ ଏବଂ ଏକତ୍ରୀକରଣ ନୀତି ଏବଂ ଶ୍ରମ ଆଇନରେ ସଂଶୋଧନକୁ ବିରୋଧ କରିଥିଲେ। ବିଭିନ୍ନ ସଂଗଠନ ପକ୍ଷରୁ ଏ.ସୁଧୀର, ଏ.ଗୋବିନ୍ଦ ରାଓ, ଉଜ୍ଜ୍ୱଳେଶ୍ୱର ଦାଶ, ଅଜୟ ବେହେରା, ସନ୍ତୋଷ କୁମାର ସାହୁ, ଅନିଲ୍‌ ଏବଂ ପ୍ରସନ୍ନ ଚୌଧୁରୀ ପ୍ରମୁଖ ଧାରଣାସ୍ଥଳରେ ଉଦ୍‌ବୋଧନ ଦେଇଥିଲେ। ଯଦି ସଂଗଠନଗୁଡ଼ିକ ସହ ଆଲୋଚନା କରି କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର ନ କରନ୍ତି, ତେବେ ଆନ୍ଦୋଳନ ଅଧିକ ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ ।
ଦେଶର ଅର୍ଥନୈତିକ ବିକାଶରେ ବ୍ୟାଙ୍କଗୁଡ଼ିକର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିିକା ରହିଛି। ୧୯୫୫ରେ ପ୍ରଥମେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆକୁ ସରକାରୀ ସ୍ବୀକୃତି ମିଳିଥିଲା।୧୯୬୯ରେ ୧୪ ଏବଂ ୧୯୮୦ରେ ୬ ବ୍ୟାଙ୍କକୁ ଜାତୀୟକରଣ କରାଯାଇଥିଲା। ୧୯୬୯ରେ ସାରା ଦେଶରେ ସରକାରୀ ବ୍ୟାଙ୍କଗୁଡ଼ିକର ଶାଖା ସଂଖ୍ୟା ୮ହଜାର ଥିବା ବେଳେ ତାହା ଏବେ ୯୦ହଜାରରେ ପହଞ୍ଚିଛି । ୫ହଜାର କୋଟି ଟଙ୍କାର ଜମାରାଶିରୁ ଏବେ ୮୫ଲକ୍ଷ କୋଟି ଟଙ୍କା ହୋଇଛି। ସେହିଭଳି ଋଣ ପରିମାଣ ୩୫୦୦ କୋଟିରୁ ୬୦ଲକ୍ଷ କୋଟି ହୋଇଛି। ତଥାପି ଦେଶର ସବୁଆଡ଼େ ବ୍ୟାଙ୍କ ସେବା ପହଞ୍ଚି ପାରିନାହିଁ । ଏଦିଗରେ କାର୍ଯ୍ୟ କରିବା ବଦଳରେ ସରକାର ଏବେ ସରକାରୀ ବ୍ୟାଙ୍କଗୁଡ଼ିକୁ କର୍ପୋରେଟ୍‌ ସଂସ୍ଥା ହାତକୁ ଟେକିଦେବାକୁ ଉଦ୍ୟମ କରୁଛନ୍ତି। ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ଫଳରେ ଘରୋଇକରଣ ରାସ୍ତା ସଫା ହୋଇଯିବ। ଆକାଉଣ୍ଟଧାରୀମାନେ ଉଚିତ ସେବା ପାଇବେ ନାହିଁ। ଲକ୍ଷ ଲକ୍ଷ କର୍ମଚାରୀ ଛଟେଇ ହେବେ। ଏଣୁ ରାଷ୍ଟ୍ରାୟାତ୍ତ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପ୍ରତିବାଦରେ ଗୋଟିଏ ଦିନ ପାଇଁ ଧର୍ମଘଟ ଡାକରା ଦିଆଯାଇଥିବା ଆନ୍ଦୋଳନକାରୀମାନେ ପ୍ରକାଶ କରିଛନ୍ତି ।