ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

ବ୍ରହ୍ମପୁର ଅଫିସ୍‌,୧୫।୮-ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଗୁରୁବାର ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି. ଆଓ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ବ୍ରହ୍ମପୁର ଉପଜିଲାପାଳ ଶିନ୍ଧେ ଦତ୍ତାତ୍ରୟ ଭାଉସାହେବ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର୍‌ ଉପସ୍ଥିତ ଥିଲେ । ପରିବେଶ ସୁରକ୍ଷା ଦିଗରେ ଅତୁଳନୀୟ ଅବଦାନ ପାଇଁ ୧୩ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ପରେଡ୍‌ ପ୍ରଦର୍ଶନ କରିଥିବା ଦଳଗୁଡ଼ିକ ରନିଂ ସିଲ୍‌ଡ ପ୍ରଦାନ କରାଯାଇଥିଲା। ଏନ୍‌ସିସି ବରିଷ୍ଠ ବର୍ଗରେ ଉମାଚରଣ ପାଣିଗ୍ରାହୀ ଇଞ୍ଜିନିୟରିଂ ସ୍କୁଲ ଚାମ୍ପିୟନ୍‌ ହୋଇଥିବା ବେଳେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଦଳ ରନର୍ସଅପ୍‌ ହୋଇଥିଲା। ଏନ୍‌ସିସି କନିଷ୍ଠ ବାଳିକା ବର୍ଗରେ ଗୋସାଇଁନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଚାମ୍ପିୟନ୍‌ ଏବଂ ଡିପଲ୍‌ ସ୍କୁଲ ରନର୍ସଅପ୍‌ ହୋଇଥିଲା। ଏନ୍‌ସିସି କନିଷ୍ଠ ବାଳକ ବର୍ଗରେ ସିଟି ହାଇସ୍କୁଲ ଚାମ୍ପିୟନ୍‌ ଏବଂ ଆମ୍ବପୁଆ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ରନର୍ସଅପ୍‌ ହୋଇଛି। ନିଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍କାଉଟ୍‌ ଆଣ୍ଡ ଗାଇଡ୍‌ ବଗର୍ର୍ରେ ଚାମ୍ପିୟନ୍‌ ହୋଇଥିବା ବେଳେ ଭି.ଭି.ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ରନର୍ସଅପ୍‌ ହୋଇଛି। ଉପକନିଷ୍ଠ ସିଭିଲିଏନ୍‌ରେ ଗୁରୁ ନାନକ ପବ୍ଲିକ ସ୍କୁଲ ଚାମ୍ପିୟନ୍‌ ଏବଂ ଦିଲ୍ଲୀ ପବ୍ଲିକ ସ୍କୁଲ ରନର୍ସଅପ୍‌ ହୋଇଛି। ପିଟି ବରିଷ୍ଠ ବର୍ଗରେ ଡି ପଲ୍‌ ସ୍କୁଲ ଚାମ୍ପିୟନ୍‌ ଏବଂ ଏସ୍‌ଏଭି ପବ୍ଲିକ ସ୍କୁଲ ରନର୍ସଅପ୍‌ ହୋଇଛି । ଶ୍ରେଷ୍ଠ ପିଟି ବର୍ଗରେ ଡିପଲ୍‌ ସ୍କୁଲକୁ ଟ୍ରଫି ପ୍ରଦାନ କରାଯାଇଛି। ସେହିଭଳି ଅନ୍ୟାନ୍ୟ ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।