Categories: ଗଞ୍ଜାମ

ବ୍ରହ୍ମପୁର ବଡ଼ ମେଡିକାଲ୍‌: ଡାଏଲିସିସ୍‌ ୱାର୍ଡରେ ଅଚଳାବସ୍ଥା

ବ୍ରହ୍ମପୁର ଅଫିସ୍‌,୨୬ା୫-ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଥିବା ଡାଏଲିସିସ୍‌ ୱାର୍ଡ଼ ଅବହେଳାର ଶିକାର ହେବାରେ ଲାଗିଛି। ଏହି ୱାର୍ଡ଼ରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ନୂଆ ମେଶିନ୍‌ ଦିଆଯାଉ ନାହିଁ।
ପୁରୁଣା ମେଶିନ୍‌ରେ ଯେନତେନ ପ୍ରକାରେ କାମ ଚଳାଯାଉଛି। ଏହି ପୁରୁଣା ମେଶିନ୍‌ଗୁଡ଼ିକ ବାରମ୍ବାର ଖରାପ ହେଉଥିବା ଯୋଗୁ ରୋଗୀଙ୍କ ଡାଏଲିସିସ୍‌ ହୋଇପାରୁ ନାହିଁ। ରୋଗୀଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ରୋଗୀଙ୍କୁ ମରଣ ମୁହଁକୁ ଠେଲି ଦେଉଛି ସ୍ବାସ୍ଥ୍ୟ ବିଭାଗ ।
ଶ୍ଚତ୍ୟେକ ମାସ ୧୨୦ରୁ ୧୫୦ ରୋଗୀଙ୍କ ଡାଏଲିସିସ୍‌ କରାଯାଉଛି। ନିୟମିତ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ହେଲେ ସମସ୍ୟା ହେଲା ମେଶିନ।
କାରଣ ଏହି ୱାର୍ଡ଼ରେ ମାତ୍ର ଦୁଇଟି ମେଶିନ ଅଛି। ଗୋଟିଏକୁ ୧୦ରୁ ଅଧିକ ବର୍ଷର ଅନ୍ୟ ଏକ ଜିଲାରେ କାର୍ଯ୍ୟ କରିବା ପରେ ତାକୁ ବଡ଼ ମେଡ଼ିକାଲ୍‌କୁ ଅଣାଯାଇଛି। ଆଉ ଗୋଟିଏ କମ୍‌ ବର୍ଷର ପୁରୁଣା ମେଶିନ୍‌ ରହିଛି। ଗତ କିଛି ଦିନ ହେଲା ପୁରୁଣା ମେଶିନ୍‌ଟି ବାରମ୍ବାର ଖରାପ ସହ ବନ୍ଦ ମଧ୍ୟ ହୋଇଯାଉଛି ।
ଏଭଳି ସ୍ଥଳେ ନୂଆ ମେଶିନ୍‌ରେ ରୋଗୀଙ୍କ ଡାଏଲିସିସ୍‌ କରାଯାଉଥିଲା।
ହେଲେ ଶନିବାର ନୂଆ ମେଶିନ୍‌ଟି ଖରାପ ହୋଇଯାଇଛି। ଫଳରେ ରୋଗୀଙ୍କ ଡାଏଲିସିସ୍‌ ଏକ ପ୍ରକାର ବନ୍ଦ ହୋଇଯାଇଛି। ଯେଉଁମାନଙ୍କ ପାଳି ଶନିବାର ଥିଲା, ମେଶିନ୍‌ ଖରାପ ହେବା ଯୋଗୁ ସେମାନଙ୍କ ଡାଏଲିସିସ୍‌ ହୋଇପାରି ନାହିଁ। ଫଳରେ ସେମାନେ ନିରାଶ ହୋଇ ଫେରିଥିଲେ।
ସମସ୍ୟା ଅନେକ ମାସ ହେଲା ଦେଖିବାକୁ ମିଳିଛି । ଏହି ୱାର୍ଡ଼ରେ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମେଶିନ ସଂଖ୍ୟା ବଢ଼ୁନି। ଘରୋଇ ନର୍ସିଂହୋମ୍‌ଗୁଡ଼ିକରେ ପ୍ରତ୍ୟେକ ଥର ଡାଏଲିସିସ୍‌ ପାଇଁ ପ୍ରାୟ ୩ରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ। ଏଣୁ ଗରିବ ରୋଗୀମାନେ ବଡ଼ ମେଡ଼ିକାଲ୍‌ରେ ମାଗଣା ଡାଏଲିସିସ୍‌କୁ ପସନ୍ଦ କରୁଛନ୍ତି। ସରକାର ଯୋଜନା ମାଗଣା କରି ଦେଇଥିବା ବେଳେ ସୁବିଧା କିନ୍ତୁ ଯୋଗାଉ ନାହାନ୍ତି। ଗତ ଡିସେମ୍ବର ୨୬ତାରିଖରେ ସହରର କେତେକ ସଚେତନ ନାଗରିକ ଏନେଇ ସ୍ବାସ୍ଥ୍ୟ ବିଭାଗକୁ ଟୁଇଟ୍‌ ମାଧ୍ୟମରେ ଅବଗତ କରିଥିଲେ। ଦୁଇଟି ମେଶିନ୍‌ ତୁରନ୍ତ ଯୋଗାଇ ଦିଆଯିବ ବୋଲି ବିଭାଗ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ୫ ମାସ ହେଲା, କିନ୍ତୁ ନୂତନ ମେଶିନ୍‌ ଏଯାଏ ୱାର୍ଡ଼କୁ ଆସିନାହିଁ, ଫଳରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି।