ବ୍ରହ୍ମପୁର ବନଖଣ୍ଡରେ ୧୨, ୩୩୨ ପକ୍ଷୀ

ବ୍ରହ୍ମପୁର ଅଫିସ,୧୧ା୧-ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳରେ ପକ୍ଷୀ ଗଣନା ସରିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ପକ୍ଷୀ ସଂଖ୍ୟା ବଢ଼ିଛି। ବନଖଣ୍ଡ ଅନ୍ତର୍ଗତ ବ୍ରହ୍ମପୁର, ଦିଗପହଣ୍ଡି, ସାମନ୍ତିଆପଲ୍ଲୀ ଓ ଖଲ୍ଲିକୋଟ ରେଞ୍ଜରେ ୭୨ ପ୍ରଜାତିର ୧୨, ୩୩୨ ପକ୍ଷୀ ଥିବା ଠାବ କରାଯାଇଛି। ଖଲ୍ଲିକୋଟ ରେଞ୍ଜ ଅନ୍ତର୍ଗତ ବଡହୁମ୍ମାରେ ସର୍ବାଧିକ ୨, ୮୩୨ ପକ୍ଷୀ ଥିବା ବେଳେ ବ୍ରହ୍ମପୁର ରେଞ୍ଜ ତାମ୍ପରା ହ୍ରଦରେ ୮୯୦ ଓ ସାମାନ୍ତିଆପଲ୍ଲୀ ରେଞ୍ଜ ପଣ୍ଡା ସାଗରରେ ୫୧୦ ପକ୍ଷୀ ଅଛନ୍ତି। ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ବିଦେଶୀ ପକ୍ଷୀଙ୍କୁ ଏଠାକାର ପରିବେଶ ଆକୃଷ୍ଟ କରିଛି। ତାମ୍ପରା ହ୍ରଦ, ଦକ୍ଷିଣପୁର ଘାଇ, ବାହୁଦା ନଦୀ, ହୁମ୍ମା ଲୁଣି ହ୍ରଦ, ଋଷିକୁଲ୍ୟା ମୁହାଣ, ପଣ୍ଡା ସାଗର, ଗୋପାଳ ସାଗର, ବାଘଲଟି ରିଜଭର୍ର୍ର, କନଲିରା, କଳିଙ୍ଗଦୋଳା, ଘୋଡାହାଡ଼ ଡ୍ୟାମ, ଚକ୍ରବର୍ତ୍ତୀ ସାଗର, ଓଡ଼ସିଙ୍ଗି ସାଗର ଆଦିରେ ପକ୍ଷୀଙ୍କ ସଂଖ୍ୟା ଅଧିକ ରହିଛି। ପକ୍ଷୀମାନଙ୍କ ମଧ୍ୟରେ ଏସିଆନ ଓପନ ବିଲ ଷ୍ଟର୍କ ୧୯୦୫ଟି, ଇଣ୍ଡିଆନ ପଣ୍ଡ ହାର୍ନ ୧୨୬୦, ଲିଟିଲ କର୍ମରାଣ୍ଟ ୧୧୯୫, ଲିଟିଲ ଏଗ୍ରେଟ ୭୮୫, କେଟଲ ଏଗ୍ରେଟ ୭୫୧ଟି ରହିଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ଗଣନା ବେଳେ ବ୍ରହ୍ମପୁର ବନଖଣ୍ଡର ୩୮ ଜଳାଶୟରେ ୯୨ ପ୍ରଜାତିର ୧୧,୯୧୧ ପକ୍ଷୀ ଥିଲେ। ୨୦୧୮ରେ ମୋଟ ୮,୩୮୦ ପକ୍ଷୀ ଥିବା ଠାବ କରାଯାଇଥିଲା। ଚଳିତବର୍ଷ ପକ୍ଷୀଙ୍କ ସଂଖ୍ୟା ବଢ଼ିଥିବା ଜଣାପଡିଛି। ମୋଟ ୩୭ଟି ଦଳ ପକ୍ଷୀ ଗଣନାରେ ସାମିଲ ହୋଇଥିଲେ।

Share