Categories: ଗଞ୍ଜାମ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ: ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କୁ ସଚିବଙ୍କ ଚିଠି; ଜୟନ୍ତଙ୍କୁ ସିଣ୍ଡିକେଟରୁ ବାଦ ଦେବାକୁ ପରାମର୍ଶ

ବ୍ରହ୍ମପୁର ଅଫିସ,୨୨ା୭-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ମନୋନୀତ ହୋଇଥିବା ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ରଙ୍କ ସଦସ୍ୟତା ବାତିଲ ହୋଇପାରେ। ଏହାକୁ ବାତିଲ କରିବାକୁ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ଶାଶ୍ୱତ କୁମାର ମିଶ୍ର ବିଭାଗୀୟ ନିର୍ଦ୍ଦେଶକଙ୍କୁ ଗତ ୧୯ତାରିଖରେ ଚିଠି ଲେଖିଛନ୍ତି। ନିକଟରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତିନିଧିି ଭାବେ ମନୋନୀତ ହୋଇଥିବା ପ୍ରଫେସର ମହାପାତ୍ରଙ୍କ ନାମରେ ଦୁଇଟି ଅଭିଯୋଗ ରହିଥିବା ଚିଠିରେ ଦର୍ଶାଯାଇଛି। ସେହି ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଥିବା କୁଳପତି ସିଣ୍ଡିକେଟକୁ ମନୋନୀତ ହୋଇ ପାରିବେ ନାହିଁ ବୋଲି ନିୟମ ରହିଛି।
ଉକ୍ତ ନିୟମାନୁଯାୟୀ ପ୍ରଫେସର ମହାପାତ୍ରଙ୍କୁ ସିଣ୍ଡିକେଟ ସଦସ୍ୟରୁ ବାଦଦେଇ ତାଙ୍କ ବଦଳରେ ଅନ୍ୟଜଣଙ୍କୁ ପ୍ରତିନିଧି ଭାବେ ମନୋନୀତ କରିବାକୁ ସଚିବ ଚିଠିରେ ପରାମର୍ଶ ଦେଇଛନ୍ତି। ଚିଠି ପ୍ରକାରେ, ମହାପାତ୍ର ୨୦୧୦-୧୩ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ଭାବେ କାର୍ଯ୍ୟ କରିବା ସହ ସିଣ୍ଡିକେଟ ଚେୟାରମ୍ୟାନ ଦାୟିତ୍ୱ ତୁଲାଇଥିଲେ ା ଏହାବ୍ୟତୀତ କୁଳପତି ଥିବା ବେଳେ ବହୁ ଆର୍ଥିକ କାରବାର, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିବା ମଧ୍ୟ ସଚିବ ଉକ୍ତ ଚିଠିରେ ଦର୍ଶାଇଛନ୍ତି ା ସଚିବଙ୍କ ଏପରି ଚିଠି ପରେ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ପ୍ରତିନିଧିଭାବେ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ଗତ ୨ତାରିଖରେ ମନୋନୀତ ହୋଇଥିବା ମହାପାତ୍ରଙ୍କ ସଦସ୍ୟତା ବାତିଲ ହେବାର ଆଶଙ୍କା ଥିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ମହାପାତ୍ରଙ୍କ ସଦସ୍ୟତା ବାତିଲକୁ ନେଇ କୌଣସି ଚିଠି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟକୁ ଆସି ନ ଥିବା କୁଳସଚିବ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।
ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତିନିଧି ଭାବେ ଗତ ୨ତାରିଖରେ ମହାପାତ୍ର ମନୋନୀତ ହୋଇଥିଲେ। ଏନେଇ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ବିଶ୍ୱବିଦ୍ୟାଳୟକୁ ଚିଠି ନଂ.୨୫୪୯୮ରେ ଉଲ୍ଲେଖ କରିଥିଲେ।