ବ୍ରହ୍ମବରଦା ‘କଣ୍ଟେନମେଣ୍ଟ ଜୋନ’ ଘୋଷିତ

ଯାଜପୁର ଅଫିସ/ଯାଜପୁର ଟାଉନ,୬ା୪(ଡି.ଏନ.ଏ.) ଯାଜପୁର ଜିଲାର କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ରସୁଲପୁର ବ୍ଲକର ବ୍ରହ୍ମବରଦା ଗ୍ରାମ ଏବଂ ଏହାର ୩ କି.ମି. ପରିଧି ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ଶନିବାର ସିଲ୍‌ କରାଯାଇ ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ସୋମବାର ରାତି ୮ଟାରେ ଶଟ୍‌ଡାଉନ୍‌ କଟକଣା ଶେଷ ହେବା ପରେ ବ୍ରହ୍ମବରଦା ଅଞ୍ଚଳକୁ ଜିଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଜୋନରେ ବ୍ରହ୍ମବରଦା ସମେତ ବନ୍ଧଡ଼ିହ, ଲଙ୍କାବାଲିସାହି, ବଡ଼ରାଏପଡ଼ା, ଖଣ୍ଡାସ, ବାଲିଗୁଡ଼ା, ମହେଶ୍ୱରପୁର, ଚାନ୍ଦପୁର, କୋଠିଡିହ, ବାଙ୍କସାହି, ସାହାପଡା, ଦେଉଳି (ଆଂଶିକ) ରହିଛି। ଏହି ଅଞ୍ଚଳକୁ ପୂର୍ବରୁ ସିଲ୍‌ କରାଯାଇଥିବାବେଳେ ତାହା ଆସନ୍ତା ୮ ତାରିଖ ଯାଏ ବଳବତ୍ତର ରହିବ। ଲୋକମାନଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ପକ୍ଷରୁ ପହଞ୍ଚାଯିବ। ଏହି ସମୟରେ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।
କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲାରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟ୍‌ଡାଉନ୍‌ ସଫଳ ହୋଇଛି। ଲୋକମାନେ ଏହାକୁ ସମର୍ଥନ କରି ଘରେ ରହିଥିବାରୁ ଜିଲାପାଳ ଦାସ ଜିଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମଙ୍ଗଳବାରଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ। ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ସାମାଜିକ ଦୂରତା ଅବଲମ୍ବନ ପାଇଁ ଜିଲା ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ଜିଲାପାଳ ଏକ ଘୋଷଣାରେ ଦର୍ଶାଇଛନ୍ତି ଯେ, ମଙ୍ଗଳବାର ସକାଳ ୬ଟାରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବା ଦାୟିତ୍ୱ ସମ୍ପୃକ୍ତ ଦୋକାନୀ, ମଲ୍‌ ମାଲିକ ଏବଂ ହାଟ ପରିଚାଳକମାନଙ୍କର। ଦୋକାନ ଆଗରେ ୫ ଫୁଟ ଦୂରତା ମଧ୍ୟରେ ବୃତ୍ତ ଆକାରର ଚିହ୍ନ ଦେଇ ସେଥିରେ ଗ୍ରାହକଙ୍କୁ ଛିଡ଼ାକରି ସେମାନଙ୍କ ଚାହିଦା ମୁତାବକ ସାମଗ୍ରୀ ନିଜେ ଆଣି ଦେବେ। ଯଦି କୌଣସି ଦୋକାନୀ ବିକ୍ରୟ ସମୟରେ ସାମାଜିକ ଦୂରତା ଅବଲମ୍ବନ ନ କରନ୍ତି ତେବେ ସେମାନଙ୍କ ଦୋକାନକୁ ସିଲ୍‌ କରାଯିବା ସହ ସାମଗ୍ରୀ ଜବତ କରାଯିବ ବୋଲି ଜିଲାପାଳ ଚେତାବନୀ ଦେଇଛନ୍ତି।

Share