ବ୍ରହ୍ମବରଦା ଫାଣ୍ଡି ପାଇଁ ପରୀ ଯୋଜନା ମୂଲ୍ୟହୀନ: ଅପହରଣର ୫ମାସ ପରେ ବି ନାବାଳିକାଙ୍କ ମିଳୁନି ପତ୍ତା

ରସୁଲପୁର,୬।୮(ଡି.ଏନ୍‌.ଏ.)- ଧର୍ମଶାଳା ଥାନା ଅଧିନସ୍ଥ ରସୁଲପୁର ବ୍ଲକ ଅଞ୍ଚଳରେ ଅବସ୍ଥିତ ବ୍ରହ୍ମବରଦା ଫାଣ୍ଡି ପାଇଁ ପରୀ ଯୋଜନା ମୂଲ୍ୟହୀନ ହୋଇପଡ଼ିଛି। ୫ମାସ ତଳେ ଅପହରଣ ହୋଇଥିବା ଜନୈକା ନାବାଳିକାଙ୍କୁ ପୋଲିସ ଧରିବାରେ ବିଫଳ ହେବା ଘଟଣାରୁ ଏହା ପ୍ରମାଣିତ ହେଉଛି। ନିଖୋଜ ସମୟରେ ନାବାଳିକାଙ୍କ ବୟସ ୧୭ବର୍ଷ ହୋଇଥିଲା। ଆଉ ୭ମାସ ପରେ ସେ ସାବାଳିକା ହୋଇଯିବେ। ପୋଲିସ ଉପରୁ ଚାପ ହଟିଯିବ। ଏହା ଜାଣି ପୋଲିସ ପକ୍ଷରୁ ନାବାଳିକାକୁ ଠାବ କରିବାରେ କୌଣସି ଆନ୍ତରିକତା ପ୍ରକାଶ କରାଯାଉ ନାହିଁ ବୋଲି ଅପହୃତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
ଅଭିଯୋଗରୁ ଜଣାଯାଏ ଗତ ମାର୍ଚ୍ଚ ୬ତାରିଖରେ ଏହି ଫାଣ୍ଡି ଅଧିନସ୍ଥ ମହେଶ୍ୱପୁର ଗ୍ରାମର ଜନୈକ ନାବାଳିକା ଅପହରଣ ହୋଇଥିଲେ। ଉକ୍ତ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିନେଇଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ପୋଲିସ ଝିଅକୁ ବିଭିନ୍ନ ସ୍ଥାନରେ ଖୋଜିବାର ବାହାନା କରିଥିଲା। ମାତ୍ର ପୋଲିସ ନାବାଳିକାଙ୍କ ସନ୍ଧାନ ପାଇ ନ ଥିଲା। ଗତ ଏପ୍ରିଲ ମାସରେ ଅପହରଣକାରୀ ଯୁବକ ବ୍ୟବହାର କରୁଥିବା ମୋବାଇଲ ଫୋନ୍‌କୁ ଟ୍ରାକିଂ କରି ସେ ହାଇଦ୍ରାବାଦରେ ରହୁଥିବା ଜଣାପଡିଥିଲା। ପରିବାର ଲୋକେ ନିଜସ୍ବ ଖର୍ଚ୍ଚରେ ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ରଥ ଓ ଅନ୍ୟଜଣେ ପୋଲିସ କର୍ମଚାରୀଙ୍କୁ ନେଇ ହାଇଦ୍ରାବାଦ ଯାଇଥିଲେ। ଠିକଣା ସ୍ଥାନରେ ପହଞ୍ଚତ୍ବାବେଳକୁ ଉକ୍ତ ମୋବାଇଲକୁ ଅପହରଣକାରୀଙ୍କ ଜଣେ ସାଙ୍ଗ ବ୍ୟବହାର କରୁଥିଲେ। ଯାହାର ଘର ମହେଶ୍ୱରପୁରରେ ଏବଂ ସେ ହାଇଦ୍ରବାଦରେ ଏକ କମ୍ପାନୀରେ କାମ କରୁଥିବା ଜଣାପଡ଼ିଥିଲା। ଏପରି କି ଉକ୍ତ ମୋବାଇଲଟି ତାଙ୍କର ଏବଂ ତାକୁ ଅପହରଣକାରୀ ଯୁବକ କିଛି ସମୟ ମାଗି ବ୍ୟବହାର କରୁଥିଲେ ବୋଲି ପୋଲିସ ଆଗରେ ସେ ପ୍ରକାଶ କରିଥିଲେ। ଅପହରଣକାରୀ ଯୁବକ ରାୟପୁରରେ ରହୁଥିବା ସେ କହିଥିଲେ। ଏହା ଜାଣିବା ପରେ ପୋଲିସ ଅଭିଯୁକ୍ତ ଯୁବକ ଓ ନାବାଳିକାଙ୍କୁ ଠାବ କରିବାରେ ବିଫଳ ହୋଇଥିଲା। ଅପହରଣକାରୀ ଯୁବକ ତାଙ୍କ ସାଙ୍ଗମାନଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ନେଇ ଅପହୃତାଙ୍କ ପରିବାର ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ସୁଦ୍ଧା ପୋଲିସ ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ସାଙ୍ଗମାନଙ୍କ ମୋବାଇଲକୁ ଟ୍ରାକିଂ କଲେ ପ୍ରକୃତ ଘଟଣାର ପର୍ଦ୍ଦାଫାଶ ହୋଇପାରନ୍ତା। ଏସମ୍ପର୍କରେ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ରଥଙ୍କୁ ପଚାରିବାରୁ ସେ ନାବାଳିକା ପରିବାର ସହ ହାଇଦ୍ରାବାଦ ଯାଇଥିଲେ ା ମାତ୍ର ସେଠାରେ ଅପହରଣକାରୀ କିମ୍ବା ଅପହୃତାଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ। ସେମାନେ ଆଗୁଆ ସୂଚନା ପାଇଁ ସ୍ଥାନ ପରିବର୍ତ୍ତନ କରି ଦେଇଥିଲେ। ଫଳରେ ସବୁ ଯୋଜନା ପଣ୍ଡ ହୋଇ ଯାଇଥିଲା। ଏହାସତ୍ତ୍ୱେ ବି ପୋଲିସ ନାବାଳିକାକୁ ଠାବ କରିବା ଦିଗରେ ଯଥେଷ୍ଟ ପ୍ରୟାସ ଜାରି ରଖିଛି ବୋଲି ପ୍ରକାଶ କରିଛନ୍ତି ।

Share