‘ବ୍ରହ୍ମୋସ୍‌’ର ଦୁଇଥର ସଫଳ ବ୍ୟାବହାରିକ ପରୀକ୍ଷଣ: ଶତ୍ରୁପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେବାର ରଖିଛି କ୍ଷମତା

ବାଲେଶ୍ୱର ଅଫିସ, ୧୭।୧୨-ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ(ଆଇଟିଆର) ପକ୍ଷରୁ ମଙ୍ଗଳବାର ସୁପରସୋନିକ୍‌ କ୍ରୁଜ୍‌ ମିଶାଇଲ୍‌ ‘ବ୍ରହ୍ମୋସ’ର ଦୁଇଥର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ପୂର୍ବାହ୍ନ ୮ଟା ୪୫ ମିନିଟ୍‌ରେ ଚାନ୍ଦିପୁର ଟେଷ୍ଟ ରେଞ୍ଜରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ଏବଂ ଅପରାହ୍ନ ସାଢ଼େ ୩ଟାରେ ପଶ୍ଚିମବଙ୍ଗର ପଶ୍ଚିମମେଦିନୀପୁର ଜିଲା କଲେଇକୁଣ୍ଡା ଏୟାରଫୋର୍ସ ଷ୍ଟେଶନରେ ବିମାନ ଯୋଗେ ଆକାଶମାର୍ଗରୁ ଭୂପୃଷ୍ଠକୁ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। ଦୁଇଥର ଯାକ ପରୀକ୍ଷଣ ସଫଳ ହୋଇଥିବା ସୂଚନା ମିଳିଛି।

ପୂର୍ବାହ୍ନ ୮ଟା ୪୫ ମିନିଟ୍‌ରେ ପ୍ରଥମେ ଆଇଟିଆର ୩ନମ୍ବର ଲଞ୍ଚ ପ୍ୟାଡ୍‌ରୁ ଏହି କ୍ଷେପଣାସ୍ତ୍ରକୁ ଉତ୍‌କ୍ଷେପଣ କରାଯାଇଥିଲା। ଉପସ୍ଥିତ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ଏହି ପରୀକ୍ଷା କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ। ପରେ ଅପରାହ୍ନ ସାଢ଼େ ୩ଟାରେ ବାଲେଶ୍ୱରଠାରୁ ୧୪୭କି.ମି. ଦୂର କୋଲେଇକୁଣ୍ଡାରୁ ସୁଖୋଇ-୩୦ ବିମାନ ଯୋଗେ ଏହାକୁ ଆକାଶମାର୍ଗରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇଥିଲା।

‘ବ୍ରହ୍ମୋସ’ କ୍ଷେପଣାସ୍ତ୍ରର ଏହା ହେଉଛି ଅପଡେଟେଡ୍‌ ଭର୍ସନ। ଏଥିରେ ‘ଲାଇଫ୍‌ ଏକ୍ସଟେନସନ୍‌ ଟେକ୍ନୋଲୋଜି’ ବ୍ୟବହାର କରାଯାଇଛି। ପୂର୍ବରୁ ଲକ୍ଷ୍ୟଭେଦ କ୍ଷମତା ଥିଲା ୨୯୦ କି.ମି.। ଏବେ ପ୍ରଥମଥର ପାଇଁ କ୍ଷେପଣାସ୍ତ୍ରରେ ଲକ୍ଷ୍ୟଭେଦ କ୍ଷମତାକୁ ପରିବର୍ଦ୍ଧିତ କରାଯାଇଛି, ଯାହାକି ୪ଶହ କି.ମି. ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଭାରତ ଓ ରୁଷିଆ ମିଳିତ ସହଯୋଗରେ ଏହାକୁ ନିର୍ମାଣ କରାଯାଇଛି। ‘ବ୍ରହ୍ମୋସ’କୁ ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ଭାବେ ବ୍ୟବହାର କରାଯାଇ ପାରିବ। ଏହା ଶତ୍ରୁପକ୍ଷର ଯେକୌଣସି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିଦେବା କ୍ଷମତା ରଖିଛି। ୮.୪ ମିଟର ଲମ୍ବ ଓ ୦.୬ ମିଟର ଓସାର ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୨.୫ ଟନ୍‌ ପର୍ଯ୍ୟନ୍ତ ଉଭୟ ଅଣୁ ଓ ପରମାଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ। ଏହା ପବନର ବେଗଠାରୁ ୨.୮ ରୁ ୩ ମାର୍ଚ୍ଚ ସ୍ପିଡରେ ଗତିକରି ଲକ୍ଷ୍ୟଭେଦ କରିପାରିବ।

Share