‘ବ୍ରହ୍ମୋସ’ ର ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ, ୩୦।୯-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ ପରିସର (ଆଇଟିଆର୍‌) ୩ନଂ. ଉତ୍‌କ୍ଷେପଣ କେନ୍ଦ୍ରରୁ ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ସୁପରସୋନିକ୍‌ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇଥିବା ଏହି କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍‌’ର ବିକଶିତ ମଡ଼େଲ। ପରୀକ୍ଷଣ ସମୟରେ ସେନା ଓ ଡିଆର୍‌ଡିଓ (ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ଅର୍ଗାନାଇଜେଶନ୍‌)ର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
ଡିଆର୍‌ଡିଓ ଓ ସେନାବାହିନୀର ମିଳିତ ସହଯୋଗରେ ପରୀକ୍ଷା କରାଯାଇଥିବା ଏହି କ୍ଷେପଣାସ୍ତ୍ରର ଓଜନ ୩ହଜାର କିଲୋଗ୍ରାମ୍‌। ୮.୪ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୨୯୦ରୁ ୪୫୦ କି.ମି.। ଦୁଇ ପର୍ଯ୍ୟାୟ ଇଞ୍ଜିନ୍‌ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୨୦୦ କିଲୋଗ୍ରାମ୍‌ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଆକାଶ ମାର୍ଗରେ ସ୍ବଳ୍ପ ଉଚ୍ଚତାରେ ଥାଇ ‘ବ୍ରହ୍ମୋସ୍‌’ ଅକ୍ଳେଶରେ ଶତ୍ରୁ ପକ୍ଷର ଟାର୍ଗେଟ୍‌କୁ ନଷ୍ଟ କରିଥାଏ। ଭାରତ ଓ ରୁଷ୍‌ର ମିଳିତ ସହଯୋଗରେ ଡିଆର୍‌ଡିଓ ପକ୍ଷରୁ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ଏକ ନିର୍ଭରଯୋଗ୍ୟ କ୍ଷେପଣାସ୍ତ୍ର ଅଟେ। ଏହାର ପ୍ରଥମ ପରୀକ୍ଷା ୨୦୧୭ ମାର୍ଚ୍ଚ ୧୧ ତାରିଖରେ ହୋଇଥିଲା। ସଫଳ ମଧ୍ୟ ହୋଇଥିଲା। କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଡିଆର୍‌ଡିଓ ଚେୟାରମ୍ୟାନ୍‌ ଜି. ସଥିସ ରେଡ୍ଡୀ ଏବଂ ଡିଜି ମଶାଇଲ୍‌ ଆଣ୍ଡ୍‌ ଷ୍ଟ୍ରାଟେଜିକ୍‌ ସିଷ୍ଟମ୍‌ସ ଏମ୍‌ଏସ୍‌ଆର୍‌ ପ୍ରସାଦ ଶୁଭେଚ୍ଛା ଜଣାଇଛନ୍ତି। ଡିଜି (ବ୍ରହ୍ମୋସ) ସୁଧୀର କୁମାର ମିଶ୍ର, ଡିଆର୍‌ଡିଏଲ୍‌ ଡାଇରେକ୍ଟର ଦଶରଥ ରାମ ଏବଂ ଆଇଟିଆର୍‌ ନିର୍ଦ୍ଦେଶକ ବିନୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଭାରତ ତାର ପ୍ରତିରକ୍ଷା ଶକ୍ତିକୁ ସୁଦୃଢ କରିବା ଦିଗରେ ଉକ୍ତ କ୍ଷେପଣାସ୍ତ୍ର ସାମର୍ଥ୍ୟ ରଖିଛି ବୋଲି କହିଛନ୍ତି।

Share