ବ୍ରହ୍ମ ତାଳଧ୍ୱଜ ରଥ କାଠ ଅନୁକୂଳ

କେନ୍ଦ୍ରାପଡ଼ା ଅଫିସ, ୨୬।୪-ଆସନ୍ତା ଜୁନ ୨୩ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତହିଁ ପରଦିନ ଅର୍ଥାତ୍‌ ୨୪ ତାରିଖରେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ବ୍ରହ୍ମ ତାଳଧ୍ୱଜ ରଥ ମାଉସୀ’ମା ମନ୍ଦିର ଅଭିମୁଖେ ଗଡିବ। ଏଥିପାଇଁ ଅକ୍ଷୟ ତୃତୀୟା ଅବସରରେ ରଥ କାଠ ବିଧି ମୁତାବକ ରବିବାର ଅନୁକୂଳ ହୋଇଯାଇଛି। ରଥକାଠ ଅନୁକୂଳ ପାଇଁ ଅପରାହ୍ନରେ ଶ୍ରୀବଳଦେବ ଜୀଉ ଦେବୋତ୍ତର ସଂସ୍ଥା ପକ୍ଷରୁ ଚିହ୍ନଟ କରାଯାଇଥିବା ଆମ୍ବ ଗଛକୁ ପୂଜାର୍ଚ୍ଚାନା କରାଯାଇଥିଲା। ଏଥିସହ ସେବାୟତଙ୍କ ମାଧ୍ୟମରେ ଏକ ଖଣ୍ଡ ଡାଳ ଛେଦନ କରାଯାଇ ମନ୍ଦିର ପରିସରକୁ ନିତଆଯାଇଥିଲା। ସେଠାରେ ବିଧି ମୁତାବକ ମହାରଣାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ପ୍ରଦାନ କରାଯାଇ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯାଇଛି। ଏ ସମ୍ପର୍କରେ ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ପ୍ରକାଶ କରିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କରୋନା ମହାମାରୀ ନିର୍ଦ୍ଦେଶ ଅନୁଯାୟୀ ରଥ ନିର୍ମାଣ ଅନୁକୂଳ କାର୍ଯ୍ୟ ରଥ ଖଳାରେ ନ ହୋଇ ମନ୍ଦିର ପରିସରରେ ହୋଇଛି। ମେ ୩ ପରେ ରଥ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇ ନିର୍ମାଣ କର୍ଯ୍ୟ କରାଯିବ ବୋଲି ପତ୍ରୀ ସୂଚନା ଦେଇଛନ୍ତି।