ବ୍ରାଉନସୁଗାର କାରବାର: ଖୁବ୍‌ଶୀଘ୍ର ଚାକିରିରୁ ବିଦା ହେବେ କନଷ୍ଟେବଳ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ପୋଲିସ ବିଭାଗରେ ଥାଇ କରୁଥିଲେ ବ୍ରାଉନସୁଗାର ବେପାର। କ୍ୟୁଏଟି ଓ ନୟାପଲ୍ଲୀ ଥାନା ପୋଲିସ ଦ୍ୱାରା ଏହା ଧରାପଡ଼ିବା ପରେ ଗିରଫ ହୋଇଛନ୍ତି ଭୁବନେଶ୍ୱର ରିଜର୍ଭ ପୋଲିସରେ କାର୍ଯ୍ୟରତ କନଷ୍ଟେବଳ ଜେ. ଭାରିମଲ। ଏହାପରେ ତାଙ୍କ ଆପରାଧିକ ପେଡି ଖୋଲିଛି। ହତ୍ୟା ଉଦ୍ୟମ, ନିଶା ବେପାର, ଅପହରଣ ଆଦି ମାମଲାରେ ସେ ଜଡିତ ଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ସେ ଖୋର୍ଦ୍ଧାରେ ଥିବା ସମୟରେ ନିଶା ମାଫିଆ ଛୋଟାଙ୍କ ସହ ପରିଚୟ ହୋଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ ହୋଇଥିଲା। ସେ ଛୋଟାଙ୍କଠାରୁ ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ବେପାର କରୁଥିଲେ। ଧରା ନ ପଡ଼ିବା ପାଇଁ ସେ ଖୋର୍ଦ୍ଧାକୁ ପୋଲିସ ପୋଷାକରେ ଯାଉଥିଲେ ବୋଲି ଜଣାପଡ଼ିଛି। ଏପରି କି ଖୋର୍ଦ୍ଧାର ବେଆଇନ ପଥର ଚାଲାଣ ପଛରେ ମଧ୍ୟ ଭାରିମଲଙ୍କ ହାତ ରହିଥିବା ପୋଲିସ ଜାଣିବାକୁ ପାଇଛି। ଦରମା ଅଳ୍ପ ହୋଇଥିଲେ ମଧ୍ୟ ସେ ଦାମୀ ଗାଡ଼ି ଚଢ଼ିବା ସହ ବିଳାସବ୍ୟସନରେ ଦିନ କାଟୁଥିଲେ। ପୋଲିସ ବିଭାଗରେ ରହି ଯେଉଁମାନେ ଆପରାଧିକ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ପୋଲିସ କମିଶନର(ସିପି) ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଗିରଫ କନ୍‌ଷ୍ଟେବଳଙ୍କ ଲିଙ୍କ୍‌ରେ ଅନ୍ୟ ପୋଲିସ କର୍ମଚାରୀଙ୍କ ସମ୍ପର୍କ ଜଣାପଡ଼ିଲେ ସେମାନଙ୍କୁ ମଧ୍ୟ ଛଡାଯିବ ନାହିଁ ବୋଲି ଷଡ଼ଙ୍ଗୀ କହିଛନ୍ତି। ଏହାସହ ଖୁବ୍‌ଶୀଘ୍ର କନ୍‌ଷ୍ଟେବଳ ଭାରିମଲ ଚାକିରିରୁ ବିଦାହେବେ ବୋଲି ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Share